ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷାରେ ଲୋକେ
ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅବ୍ୟବସ୍ଥା ମଧ୍ୟରେ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ ପକ୍ଷରୁ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ଜନଶୁଣାଣୀ ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା।
ସୂଚନା ପାଇ ପଞ୍ଚାୟତର ବହୁ ସଂଖ୍ୟକ ଲୋକ ଠିକ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରେ କୌଣସି ବ୍ଲକ ଅଧିକାରୀ ଉପସ୍ଥିତ ନଥିବାରୁ ଲୋକମାନେ ଦୀର୍ଘ ସମୟ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ, ପ୍ରାୟ ୧୧ଟା ୫୫ ମିନିଟ୍ ସମୟରେ ବ୍ଲକ ଅଧିକାରୀ ପଞ୍ଚାୟତ ସଭାଗୃହରେ ପହଞ୍ଚିଥିବା ଜଣାପଡିଛି।
ଏହି ସମୟରେ ପ୍ରବଳ ଗ୍ରୀଷ୍ମ ଖରାରେ ବୃଦ୍ଧ ଓ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା।
ପିଇବା ପାଇଁ ଜଳର ବ୍ୟବସ୍ଥା ନଥିବା ସହ ବୃଦ୍ଧ ଓ ବିକଳାଙ୍ଗମାନଙ୍କ ପାଇଁ ବସିବାର ସୁବିଧା ମଧ୍ୟ ନଥିଲା।
ପରେ ବ୍ଲକ ଅଧିକାରୀ ସ୍ଥାନକୁ ପହଞ୍ଚିବା ପରେ ଲୋକ ଙ୍କ ଅଭିଯୋଗ ଶୁଣିଥିଲେ। ପାଖାପାଖି ୧୦୦ ରୁ ଅଧିକ ଲୋକ ନିଜ ନିଜର ଅଭିଯୋଗ ରଖି thile ଓ ବ୍ଲକ ଅଧିକାରୀ ସମସ୍ତଙ୍କ ଅଭିଯୋଗ କୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ବ୍ଲକ ଅଧିକାରୀଙ୍କ ବିଳମ୍ବରେ ପହଞ୍ଚିବା ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
