ଚୌଦ୍ୱାରର ପୁରାତନ ଇଂରାଜୀ ମାଧ୍ୟମ ସ୍କୁଲ କଲିଙ୍ଗ ପବ୍ଲିକ ସ୍କୁଲକୁ ନେଇ ଏବେ ଦେଖାଦେଇଛି ଜମି ବିବାଦ। ଏକ ପଟେ ଡକ୍ଟର ଅଚ୍ୟୁତ ସାମନ୍ତ ଗରିବ ଓ ପଛୁଆ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢ଼ି ତୋଳୁଥିବା ବେଳେ, ଅନ୍ୟ ପଟେ ଚୌଦ୍ୱାରର imfa ପୁରାତନ କଲିଙ୍ଗ ପବ୍ଲିକ ସ୍କୁଲର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିଛି। Imfa କଲିଙ୍ଗ ପବ୍ଲିକ ସ୍କୁଲକୁ ଉଚ୍ଛେଦ କରିବା ପାଇଁ କୋର୍ଟ ଦ୍ଵାରା ନୋଟିସ ଜାରି ହୋଇଥିବା ଖବର ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି।
୧୯୬୧ ମସିହାରେ ସେତେବେଳର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଚୌଦ୍ୱାରରେ କଲିଙ୍ଗ ପବ୍ଲିକ ସ୍କୁଲ ସ୍ଥାପନ କରିଥିଲେ। ସେ ସମୟରେ ସାଧାରଣ ପରିବାରର ପିଲାମାନଙ୍କ ପାଇଁ ଇଂରାଜୀ ମାଧ୍ୟମରେ ପଢ଼ିବା ଏକ ସ୍ୱପ୍ନ ସମାନ ଥିଲା। ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ଚୌଦ୍ୱାର ଅଞ୍ଚଳର ଛାତ୍ରଛାତ୍ରୀମାନେ ସେହି ସୁଯୋଗ ପାଇଥିଲେ।
ସମୟ କ୍ରମେ ସ୍କୁଲ ପାଇଁ ସରକାରୀ ଭାବେ ଜମି ମଧ୍ୟ ଆବଣ୍ଟନ ହୋଇଥିଲା ଏବଂ ପରେ ବିଜେଡି ସରକାର ସମୟରେ ସ୍କୁଲଟି 5T ଯୋଜନାରେ ସାମିଲ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା।
କିନ୍ତୁ IMFA ପରିସର ମଧ୍ୟରେ ଥିବାରୁ ଏହି ସ୍କୁଲର ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଭିଯୋଗ ହେଉଛି ଯେ Indian Metals and Ferro Alloys କମ୍ପାନୀ କୋର୍ଟରେ ମାମଲା କରି ଏହି ଜମିକୁ ନିଜ ନାମରେ କରାଇଛି ଓ ସ୍କୁଲକୁ ଉଚ୍ଛେଦ କରିବା ପାଇଁ ମଧ୍ୟ ନୋଟିସ ଜାରି ହୋଇଛି।
ଏହାକୁ ନେଇ ସ୍କୁଲର ପୂରାତନ ଛାତ୍ର ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ସେମାନଙ୍କ ଅଭିଯୋଗ ଯେ ରାଜନୈତିକ ପ୍ରଭାବ ବ୍ୟବହାର କରି ସ୍କୁଲର ଜମିକୁ କମ୍ପାନୀ ନାମରେ କରାଯାଇଛି।
ସେମାନେ କହିଛନ୍ତି ଯେ ୧୯୭୫ ମସିହାରେ ବିଜୁ ପଟ୍ଟନାୟକ ଏକ ଚିଠି ମାଧ୍ୟମରେ ଏହି ଜାଗାରେ ଶିକ୍ଷା ବ୍ୟତୀତ ଅନ୍ୟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ତେଣୁ ଏବେ କିପରି ଏହି ଜମି IMFA ନାମରେ ହେଲା ତାହାକୁ ନେଇ ସନ୍ଦେହ ଉଠିଛି।
ପୂରାତନ ଛାତ୍ର ସଂଘ ଏହାର ପୁରା ତଦନ୍ତ ଦାବି କରିବା ସହିତ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
