କଟକ ଜିଲ୍ଲାର ଚୌଦ୍ୱାର ଅଞ୍ଚଳରେ ଖୁଲମଖୁଲା ଭାବେ ଚାଲିଛି ମାଟି ଓ ମୋରମ୍ ଚୋରା ଚାଲାଣ। ରାତି ହେଲେ ମାତ୍ରେ ଶହ ଶହ ଟ୍ରିପ୍ ଟ୍ରକ୍ ଓ ହାଇୱା ଦ୍ୱାରା ଚୋରା ମାଟି ଓ ମୋରମ୍ ପରିବହନ ହେଉଥିବା ଅଭିଯୋଗ ଆସିଛି।
ସୂଚନା ଅନୁସାରେ କଟକ ମାଇନିଂ ଅଫିସ୍ରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ରାଧାକିଶନପୁର ଓ ଚୌଦ୍ୱାର ଆଖପାଖ ଅଞ୍ଚଳରୁ ରାତି ହେଲେ ମାତ୍ରେ ଖୁଲମଖୁଲା ଭାବେ ଚୋରା ମାଟି ଓ ମୋରମ୍ ବ୍ୟାପାର ଚାଲୁଥିବା କୁହାଯାଉଛି। ଚୌଦ୍ୱାର ନୂଆପାଟଣା ବ୍ରିଜ୍ ଉପରେ ଦେଇ ପ୍ରତିରାତି ଶହ ଶହ ଟ୍ରିପ୍ ଚୋରା ମାଟି ଓ ମୋରମ୍ ଯାଉଥିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚିନ୍ତିତ କରିଛି।

ଏହି ଚୋରା ଚାଲାଣ କାରଣରୁ ସାଧାରଣ ଯାତ୍ରୀ ଓ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇପଡ଼ୁଛନ୍ତି। ଚୌଦ୍ୱାର ଥାନାରୁ ମାତ୍ର ୧୦ କିଲୋମିଟର ଓ ଟିପିଏମ୍ ଫାଣ୍ଡିରୁ ପ୍ରାୟ ୫ କିଲୋମିଟର ଦୂର ଥିଲେ ମଧ୍ୟ ମାଫିଆମାନେ ବେଧଡକ ଭାବେ ଏହି ଚୋରା ବ୍ୟାପାର ଚଳାଇଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକମାନେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ନୀରବ ରହିଥିବା ଦେଖାଯାଉଛି। ଚୌଦ୍ୱାର ଥାନା ଅଧିକାରୀ କହିଛନ୍ତି ଯେ ଏହା ଫାଣ୍ଡି ଅଧୀନରେ ପଡ଼େ, ସେଠାରେ ଜଣାଇବାକୁ। ଅନ୍ୟପଟେ ଫାଣ୍ଡି ଅଧିକାରୀ କହୁଛନ୍ତି ଯେ ଚୌଦ୍ୱାର ଥାନାକୁ କୁହନ୍ତୁ, ସେମାନେ କହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହାକୁ ନେଇ ପୋଲିସ ପ୍ରଶାସନର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ଏବେ ଦେଖିବାକୁ ବାକି ରହିଲା ଏହି ଚୋରା ଚାଲାଣ ବିରୋଧରେ ପ୍ରଶାସନ କେବେ ଓ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
