ନାରୀ ଶକ୍ତି ବନ୍ଦନ ଅଧୀନିୟମ ପଦଯାତ୍ରା ଅନୁଷ୍ଠିତ

ଭାରତ ସରକାର ପକ୍ଷରୁ ନୂଆଦିଲ୍ଲୀ ଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ତାହାର ପ୍ରଭାବ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି । ନାରୀ ସଶକ୍ତିକରଣକୁ ଆଗକୁ ବଢ଼ାଇବା ଓ ନାରୀ ଶକ୍ତି ବନ୍ଦନ ଅଧୀନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବ୍ଲକ ପରିସରରେ ଏକ ବିଶାଳ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି । ବିଭିନ୍ନ ପଞ୍ଚାୟତରୁ ଶହ ଶହ ମହିଳା ଆସି ବ୍ଲକ ପରିସରରେ ଏକତ୍ରିତ ହୋଇ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ଏହି ପଦଯାତ୍ରା ବ୍ଲକ ପରିସରରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ବ୍ଲକ ପରିସରକୁ ଫେରି ଏହାର ସମାପନ ହୋଇଥିଲା। ପଦଯାତ୍ରା ସମୟରେ ମହିଳାମାନେ ନାରୀ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇଥିବା ସହ ସଚେତନତା ସୃଷ୍ଟି କରିଥିଲେ। ଆସନ୍ତା ୧୬, ୧୭ ଓ ୧୮ ତାରିଖରେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧୀନିୟମ ବିଲ ଆଗତ ହେବାକୁ ଥିବା ବେଳେ ଏହା ମାଧ୍ୟମରେ ସଂସଦ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥା ହେବା ସମ୍ପର୍କରେ ମହିଳା ମାନଙ୍କୁ ସଚେତନତା କରାଯାଇଥିଲା।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ କହିଥିଲେ ଯେ, ମହିଳାମାନେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଆଗକୁ ଆସି ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଆବଶ୍ୟକ।

ସେହିପରି ସାଂସଦ ଅନିତା ଶୁଭଦର୍ଶିନୀ ମହିଳାମାନଙ୍କୁ ଆହ୍ୱାନ କରି କହିଥିଲେ ଯେ, ମହିଳାମାନେ ଆଗକୁ ଆସି ସ୍ୱାବଲମ୍ବୀ ହୋଇ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଚିତ୍। ସମାଜର ସମସ୍ତ କ୍ଷେତ୍ରରେ ମହିଳାମାନଙ୍କ ସକ୍ରିୟ ଭୂମିକା ଦେଶର ଉନ୍ନତି ପାଇଁ ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।

ଏହି ପଦଯାତ୍ରାରେ ୧୫୦୦ ରୁ ଅଧିକ ମହିଳା ଯୋଗଦେଇ ନାରୀ ଶକ୍ତି ବନ୍ଦନ ଅଧୀନିୟମ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଅବସରରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ସମୀର କୁମାର ଜେନା, ବିଜେପି ନେତା ମାଧବ ଗୌଡ଼ ଓ ବ୍ଲକର ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ଥିଲେ। ପଦଯାତ୍ରା ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *