କୋରାପୁଟ ଜିଲ୍ଲାରୁ ଆସିଛି ଗୁରୁତର ଅଭିଯୋଗ । ସରକାରୀ ନିର୍ଦେଶରେ ଗାଈ ଗୁହାଳ ତିଆରି କଲେ ଗ୍ରାମବାସୀ, କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ମିଳିଲା ନାହିଁ ଟଙ୍କା । ଧାର କରି କାମ ସମ୍ପୂର୍ଣ କରିଥିବା ୪ ଜଣ ହିତାଧିକାରୀ ଏବେ ଅସହାୟ ଅବସ୍ଥାରେ ରହିଛନ୍ତି । ଅଧିକାରୀଙ୍କ ଦାୟିତ୍ୱହୀନତା କି ଏହାର ପ୍ରଧାନ କାରଣ?

କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ବଡ଼ ସୁକୁ ପଞ୍ଚାୟତ ଅନ୍ତର୍ଗତ ଭୋଇଗୁଡ଼ା ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ମନରେଗା ଯୋଜନାରେ ଗାଈ ଗୁହାଳ ନିର୍ମାଣ ପାଇଁ ୬ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ସରକାରୀ ନିର୍ଦ୍ଦେଶ ପାଇ ସେମାନେ ନିଜର ପୁରୁଣା ଗୁହାଳକୁ ଭାଙ୍ଗି ନୂଆ ଗୁହାଳ ତିଆରି କରିଥିଲେ । ଗ୍ରାମବାସୀମାନେ କହୁଛନ୍ତି ସରକାରୀ ବାବୁମାନେ ବାରମ୍ବାର ଘରକୁ ଆସି ଶୀଘ୍ର କାମ ସମାପ୍ତ କରିବାକୁ କହୁଥିଲେ । ଫଳରେ ସେମାନେ ଧାର କରିବା ସହିତ ନିଜ ସଞ୍ଚିତ ଧନ ବ୍ୟୟ କରି ଗୁହାଳ ନିର୍ମାଣ କରିଥିଲେ । ଗୁହାଳ ସମ୍ମୁଖରେ ସରକାରୀ ଫଳକ ମଧ୍ୟ ଲଗାଯାଇଛି, ଯେଉଁଠାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୬୬ ହଜାର ଟଙ୍କା ବ୍ୟୟ ହୋଇଥିବା ଉଲ୍ଲେଖ ରହିଛି।
କିନ୍ତୁ ଏହା ପରେ ଦେଖାଗଲା ଅନ୍ୟ ଚିତ୍ର । ଗୁହାଳ ସମ୍ପୂର୍ଣ ହେବା ପରେ କୌଣସି ଅଧିକାରୀ ଗ୍ରାମକୁ ଆସିନାହାନ୍ତି । ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ୪ ଜଣ ହିତାଧିକାରୀ ବତି ଭୋଇ, କମଳା ପୂଜାରି, ତାରା ବଦନାୟକ ଓ ତୁଳା ମୁଦୁଲି ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ସେମାନେ ଜିଆରଏସ, ପିଇଓ ଓ ସରପଞ୍ଚଙ୍କୁ ବାରମ୍ବାର କରିଥିଲେ ଅନୁରୋଧ ମଧ୍ୟ କୌଣସି ସମାଧାନ ମିଳୁନାହିଁ । ଧାର ଟଙ୍କା ଫେରସ୍ତ ଦେବା ପାଇଁ ଏବେ ସେମାନେ ଭୟଭୀତ ଓ ହୋଇରାଣ ଅବସ୍ଥାରେ ଅଛନ୍ତି ।

ଏନେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୬ ଜଣ ମଧ୍ୟରୁ ୨ ଜଣ ଟଙ୍କା ପାଇସାରିଛନ୍ତି, ଆଉ ଅନ୍ୟ ୪ ଜଣଙ୍କ ମାମଲା ଯାଞ୍ଚ ହେଉଛି ଓ ଶୀଘ୍ର ବ୍ୟବସ୍ଥା ନିଆଯିବ । ତେବେ ପ୍ରଶ୍ନ ଉଠୁଛି କାମ ସମ୍ପୂର୍ଣ ହୋଇଯାଇଥିଲେ ମଧ୍ୟ କାହିଁକି ଟଙ୍କା ଦେୟରେ ବିଳମ୍ବ? କେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏହି ଚାରି ହିତାଧିକାରୀ ଅଧିକାରରୁ ବଞ୍ଚିତ? ଏବେ ଦେଖିବାକୁ ଅଛି ପ୍ରଶାସନ କେବେ ଚେତୁଛି ଓ ଏହି ଗରିବ ଲୋକଙ୍କୁ କେବେ ମିଳିବ ସେମାନଙ୍କ ନ୍ୟାୟ ।
