ବାବା ସୁବର୍ଣ୍ଣେଶ୍ୱର ଙ୍କ ମହିମା ଅପାର

ବୃଷଭ କାନରେ କହିଲେ ପୁର୍ଣ୍ଣ ହେଉଛି ମାନସିକ

ଓଡ଼ିଶା ହେଉଛି ଦେବଦେବୀ ଏବଂ ବିଶ୍ୱାସର ଗନ୍ତାଘର । ଓଡ଼ିଶାରେ ରହିଛି ଏମିତି ଏକ ପୀଠ ଯେଉଁଠି ପଥରର ବାସୁଆ ବଳଦ କାନରେ ମନସ୍କାମନା କହିଲେ ତାହା ପୂରଣ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, ବଳଦ ଦେହରେ ଥିବା ଘାଣ୍ଟିକୁ ଆଜି ଯାଏଁ କେହି ସଠିକ୍ ଭାବେ ଗଣି ପାରିନାହାନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପ୍ରାଚୀନ  ଶ୍ରୀ ଶ୍ରୀ ବାବା ସୁବର୍ଣ୍ଣେଶ୍ୱର ମହାଦେବ ପୀଠ  କଥା। ଯେଉଁଠି ଇତିହାସ ସହ ଯୋଡ଼ି ହୋଇ ରହିଛି ଅନେକ ଅଲୌକିକ କାହାଣୀ।ବାବା ସୁବର୍ଣ୍ଣେଶ୍ୱର .

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ମହାନ୍ତିପଡ଼ା ଓ ବିଟିପୁର ମଧ୍ୟଭାଗରେ ଅବସ୍ଥିତ ଏହି ଭବ୍ୟ ମନ୍ଦିର। ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟର ଶିଳାଲିପି ଏହି ପୀଠର ପ୍ରାଚୀନତାକୁ ପ୍ରମାଣିତ କରେ। ଏହି ପୀଠକୁ ଅନେକ  ବାବା ବାସୁଆ ବଳଦ ପୀଠ  ବୋଲି ମଧ୍ୟ କହନ୍ତି। ଲୋକକଥା ଅନୁସାରେ, ଯେତେବେଳେ କଳାପାହାଡ଼ ଓଡ଼ିଶାର ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ କରୁଥିଲା, ସେତେବେଳେ ମଧ୍ୟ ଏହି ବାସୁଆ ବଳଦ ଏଠାରେ ବିଦ୍ୟମାନ ଥିଲେ।

ଏହି ପୀଠର ସବୁଠୁ ବଡ଼ ରହସ୍ୟ ହେଉଛି ମନ୍ଦିର ବେଢ଼ାରେ ଥିବା ପଥରର ବାସୁଆ ବଳଦ। ବଳଦର ବେକ, ପିଠି ଓ ଗୋଡ଼ରେ ଅନେକ ଛୋଟ ଛୋଟ ଘାଣ୍ଟି ଅଙ୍କିତ ହୋଇଛି। କୁହାଯାଏ, ଆଜି ପର୍ଯ୍ୟନ୍ତ କୌଣସି ଭକ୍ତ କିମ୍ବା ପର୍ଯ୍ୟଟକ ଏହି ଘାଣ୍ଟିକୁ ସଠିକ୍ ଭାବେ ଗଣି ପାରିନାହାନ୍ତି। ଥରେ ଗଣିଲେ ଯେତିକି ସଂଖ୍ୟା ଆସେ, ଦ୍ୱିତୀୟ ଥର ଗଣିଲେ ତାହା ବଦଳିଯାଏ। ଏହି ଅଲୌକିକ ରହସ୍ୟ ପାଇଁ ଏଠାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ।

ଶ୍ରଦ୍ଧା ଓ ବିଶ୍ୱାସର ଏହି ପୀଠରେ ବହୁ ପୁରାତନ କାଳରୁ ପାଟୁଆ ଦଣ୍ଡ ଯାତ୍ରା ପାଳିତ ହୋଇଆସୁଛି। ମାନସିକ ରଖିଥିବା ଭକ୍ତମାନେ ନିଜ ଶରୀରରେ କଣ୍ଟା ଫୁଡ଼ାଇ ବାବାଙ୍କ ବେଢ଼ା ପରିକ୍ରମା କରନ୍ତି। କେବଳ ସେତିକି ନୁହେଁ, ୧୯୭୩ ମସିହାରୁ ଏଠାରେ ମହାବିଷୁବ ସଂକ୍ରାନ୍ତିରୁ ନଅ ଦିନ ଧରି ଶ୍ରୀରାମ ଚରିତ ମାନସ ପରାୟଣ ଅନୁଷ୍ଠିତ ହୋଇଆସୁଛି। ଯେଉଁଥିରେ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ପଡ଼ୋଶୀ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୁଅନ୍ତି।

ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ଏହି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜଡ଼ିତ ଥିଲେ। ମନ୍ଦିର ପରିସରରେ ଥିବା ପ୍ରାଚୀନ ସୀତା-ରାମ ମଠ ଏଠାରେ ଅଧ୍ୟାତ୍ମିକତାର ଏକ ନିଆରା ପରିବେଶ ସୃଷ୍ଟି କରେ। ଭକ୍ତଙ୍କ ବିଶ୍ୱାସ ରହିଛି, ବାସୁଆ ବଳଦଙ୍କ କାନରେ ମନର କଥା କହିଲେ ବାବା ସୁବର୍ଣ୍ଣେଶ୍ୱର ସବୁ ମନସ୍କାମନା ପୂରଣ କରନ୍ତି।

Leave a Reply

Your email address will not be published. Required fields are marked *