ଜବରଦଖଲ କାରୀଙ୍କ କବ୍ଜାରେ ଏବେ ପାରାଦୀପର ଲାଇଫ ଲାଇନ | ଦିନେ ବନ୍ଦର ନଗରୀ ପାଇଁ ଆଶ୍ରିବାଦ ପାଲଟିଥିବା ଏହି ଲାଇଫ ଲାଇନ ଏବେ ଅଭିଶାପ ପାଲଟିବାକୁ ବସିଲାଣି | ସଂକୁଚିତ ହେଲାଣି ଏହାର ଶରୀର | କବଜ୍ଜା କରି ବସିଲେଣି ଅନେକ ଅଂଶ | ନିଜର ସ୍ତିତି ଆଉ ଅସ୍ତିତ୍ବ ହରାଇବାକୁ ବସିଥିବା ପାରାଦୀପ ଲାଇଫ ଲାଇନ ପାଇଁ ଏବେ ଚିନ୍ତା ପ୍ରକଟ କଲେଣି ଅଞ୍ଚଳବାସୀ |
ନଅଙ୍କ ଦୁର୍ଭିକ୍ଷ ପରେ ଶ୍ରମ ବଦଳରେ କାମ ଯୋଜନାରେ ଇଂରେଜ ପ୍ରଶାସନ ପକ୍ଷରୁ କଟକ ଜୋବ୍ରା ଠାରୁ ଚଉମୁହାଣୀ ପର୍ଯ୍ୟନ୍ତ ପ୍ରଥମେ ଖୋଳା ଯାଇଥିଲା ଏହି କେନାଲ | ପରବର୍ତ୍ତୀ ଅବସ୍ଥାରେ ୧୯୬୨ ମସିହାରେ ପାରାଦୀପ ବନ୍ଦରକୁ ଆଖି ଆଗରେ ରଖି ଜନସାଧାରଣଙ୍କୁ ଜଳ ଯୋଗାଣ ପାଇଁ ଚଉମୁହାଣୀ ଠାରୁ ପାରାଦୀପ ଅଠରବାଙ୍କୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଥିବା ତାଳଦଣ୍ଡା କେନାଲ ଏବେ ଜବରଦଖଲ କାରୀଙ୍କ କବ୍ଜାରେ । ସଂକୁଚିତ ଏବେ ଏହାର ପରିଧି । ହରାଇ ସାରିଲାଣି ନିଜର ଅସ୍ତିତ୍ବ | ଗଭୀରତାର ମାନଦଣ୍ଡରେ ଯିଏ ଦିନେ ଧାରଣ କ୍ଷମତାରେ ଥିଲା ଶ୍ରେଷ୍ଠ , ସେ ଆଜି ଅବକ୍ଷୟର ଦ୍ୱାରଦେଶରେ | ଏହି କେନାଲ କଡ଼ରେ କାଳକ୍ରମେ ୨୦୦୦ ମସିହା ପରଠାରୁ ଗଢି ଉଠିଛି ବିରାଟ ବସ୍ତି । ବୃଦ୍ଧି ପାଇଛି ଏହା ଉପରେ ଜନସଂଖ୍ୟା | ଆବଶ୍ୟକତାକୁ ଆଳ କରି ଲାଟିନ ମଠ, ମନ୍ଦିର , ଦୋକାନ ଘର କରିବା ସହ କେନାଲ ପୋତି କରୁଛନ୍ତି କୁକୁଡ଼ା ଚାଷ ଓ ପରିବା ଚାଷ |
ଗୋଟେ ପଟେ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲୁଥିବା ବେଳେ ମାଟି ଆଉ ଜିପସମ ଭିତରେ ଏହି କେନାଲ ନିଜର ପ୍ରସ୍ଥକୁ ହରାଇ ହରାଇ ଚାଲୁଛି | ଆରପଟ ରାସ୍ତାର କଂକ୍ରିଟ ଆଁ ଭିତରେ ଲୀନ ହେବାକୁ ବସିଛି ଏହି କେନାଲ | ଲାଟିନ ମଇଳା ଭିତରେ ଦୈନଦିନ ଏହା ପ୍ରଭାବିତ ଓ ପ୍ରଦୂଷଣ ଯୁକ୍ତ ହେବାକୁ ଲାଗିଛି | ଲୋକଙ୍କ ଆଶା ଓ ଭରସାର ପ୍ରତୀକ ସାଜିଥିବା ତାଳଦଣ୍ଡା କେନାଲ ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ସାରିଛି | ଏହି ବାଟଦେଇ ବର୍ଷାଜଳ ମହାନଦୀ ଦେଇ ସମୁଦ୍ରକୁ ଯାଉଥିବା ବେଳେ ପାରାଦୀପ ଅଞ୍ଚଳବାସୀଙ୍କ ପାଇଁ ଜଳ ଯୋଗାଣ ନିମନ୍ତେ ଏହା ଥିଲା ପ୍ରମୁଖ ବ୍ୟବସ୍ଥା | ବନ୍ଦର ପ୍ରାଧିକରଣ ଏହି ଜଳକୁ ଶୋଧିତ କରି କଲୋନୀ ବାସୀଙ୍କୁ ଯୋଗାଇ ଆସୁଥିବା ବେଳେ ଆଗକୁ କି ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ସମସ୍ତେ ଚିନ୍ତାଶୀଳ | ଦୁଇ ପାର୍ଶ୍ଵ ଏତେ ମାତ୍ରାରେ ଜବରଦଖଲ ଯେ ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି |
ବେଳ ଥାଉଁ ଥାଉଁ ପ୍ରଶାସନ ପକ୍ଷରୁ ଯଦି ଜବରଦଖଲ ଉଚ୍ଛେଦ କରାନଯାଏ ତେବେ ଆଗକୁ ଏହା ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ହେବ ବୋଲି ଆଶା କରିଛନ୍ତି ସ୍ଥାନୀୟ ବିଦ୍ଧିଜୀବି .
