ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛର ତଥ୍ୟ ସାମନାକୁ ଆସୁଛି

ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛର ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି। ଆତତାୟୀମାନେ ପୀତବାସଙ୍କ ଚାମ୍ବର ପାଖରୁ ଘର ପର୍ଯ୍ୟନ୍ତ ପିଛା କରିଥିବା ପୁଲିସ ଠୋସ୍‌ ପ୍ରମାଣ ପାଇଛି। ସେମାନେ ବୈକୁଣ୍ଠନଗର ପ୍ରଥମ ଗଳି ମୁଣ୍ଡରେ ଆଗୁଆ ଅପେକ୍ଷା କରିଥିଲା ବେଳେ ପୀତବାସ ପହଞ୍ଚିବା ପରେ ଗୁଳି ଫୁଟାଇଥିଲେ। ତଦନ୍ତ ବାଧାପ୍ରାପ୍ତ ଆଶଙ୍କାରେ ପୁଲିସ ପକ୍ଷରୁ ଏ ନେଇ ବିଶେଷ ତଥ୍ୟ ଦିଆଯାଉନାହିଁ। ଛୁଟି ବାତିଲ କରି ଗତକାଲି ରାତିରେ ଫେରିଥିବା ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍‌.ଙ୍କ ନେତୃତ୍ବରେ ୬ଟି ସ୍ଵତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତଦନ୍ତକାରୀ ଅଧିକାରୀ ଭାବେ ଟାଉନ୍‌ ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ, ଡିଏସ୍‌ପି ବିବେକାନନ୍ଦ ସ୍ୱାଇଁ, ସଦର ଡିଏସ୍‌ପି ଶୁଭ୍ରାଂଶୁ ପାଢ଼ୀ, ଡିଏସ୍‌ପି ବିଶ୍ଵାମିତ୍ର ହରିପାଲ ପ୍ରମୁଖ ରହିଛନ୍ତି। ପ୍ରତି ଟିମ୍‌ରେ ୫ରୁ ୬ଜଣ ଲେଖାଏଁ ପୁଲିସ ଅଧିକାରୀ ଅଛନ୍ତି। ପାଖାପାଖି ୪୦ଜଣ ଅଧିକାରୀ ଏହି ଟିମ୍‌ରେ ରହି ବୈଷୟିକ ପଦ୍ଧତି ସହାୟତାରେ ତନାଘନା ଜାରି ରଖିଛନ୍ତି। ‌ପୀତବାସଙ୍କ ଫୋନ୍‌ କଲ୍‌ ଡିଟେଲ୍‌ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ହତ୍ୟାକାରୀ ବ୍ୟବହାର କରିଥିବା ବାଇକ୍‌ରେ ଜାଲ୍‌ ନମ୍ବର ପ୍ଲେଟ୍‌ ଲାଗିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏସ୍‌ପି ନିଜେ ଆଜି ପୀତବାସଙ୍କ ଚାମ୍ବର ଓ ଅପରାଧ ସ୍ଥଳକୁ ଆସି ଛାନ୍‌ଭିନ୍‌ କରିଥିଲାବେଳେ ୫୦ରୁ ଅଧିକ ସିସିଟିଭିର ଫୁଟେଜ୍‌ ଯାଞ୍ଚ କରିଛନ୍ତି ।

Leave a Reply

Your email address will not be published. Required fields are marked *