ବାହା ହେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ । କଂଗ୍ରେସ ମହାସଚିବ ତଥା କେରଳର ୱାୟାନାଡ଼ର ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ୍ ଭଦ୍ରା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି । ତାଙ୍କର ବାହାଘର ଅଭିଭା ବେଗଙ୍କ ସହ ହେବ । ୨୫ ବର୍ଷୀୟ ରେହାନ ଦିଲ୍ଲୀ, ଡେରାଡୁନ୍ ଓ ଲଣ୍ଡନରେ ପାଠ ପଢ଼ିଛନ୍ତି । ତାଙ୍କର ଫଟୋଗ୍ରାଫିରେ ବହୁତ ରୁଚି ରହିଛି । ସେ ଇଷ୍ଟୋଲେସନ୍ ଓ ଭିଜୁଆଲ ଆର୍ଟିଷ୍ଟ । ତେବେ ରେହାନ ରାଜନୀତି ଠାରୁ ଦୂରରେ ରହିଛନ୍ତି । ରେହାନ୍ ମିଡିଆ କମ୍ୟୁନିକେସନ୍ ଓ ଜର୍ଣ୍ଣାଲିଜିମରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଅଭିଭା ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳି ଏବଂ ପେସାଦାର ଫଟୋଗ୍ରାଫର ତା ସହ ଜଣେ ପ୍ରଯୋଜକ ମଧ୍ୟ । ସେ ମଧ୍ୟ ଅନେକ ଚିତ୍ର ପ୍ରଦର୍ଶନୀ କରିଛନ୍ତି । ରେହାନ ଓ ଅଭିଭାଙ୍କ ମଧ୍ୟରେ ଦୀର୍ଘ ୭ ବର୍ଷର ପ୍ରେମ ସମ୍ପର୍କ ରହିଛି । ରେହାନ୍ ଭଦ୍ରା ପ୍ରଥମେ ଅଭିଭାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ସେଥିରେ ଅଭିଭା ରାଜି ହୋଇ ଯାଇଥିଲେ । ସେମାନଙ୍କ ନିର୍ବନ୍ଧ ରାଜସ୍ଥାନରେ ହୋଇଥିବା ଅନୁମାନ କରାଯାଉଛି । ମାଆ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ରାଜୀବ ଭଦ୍ରା ଦୀର୍ଘ ଦିନ ଧରି ଅଭିଭାଙ୍କୁ ଡେଟ୍ କରୁଥିଲେ । ଯଦି ଅଭିଭା ବେଗଙ୍କ ସମ୍ପର୍କରେ କୁହାଯାଏ ତେବେ ସେ ଜଣେ ପ୍ରତିଭାବାନ ସୂକ୍ଷ୍ମ କଳା ଫଟୋଗ୍ରାଫର ଏବଂ ପ୍ରଯୋଜକ ଯିଏ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତେବେ ଉଭୟଙ୍କର ଫଟୋଗ୍ରାଫୀ ପ୍ରତି ଆକର୍ଷଣ ରହିଛି । ରେହାନ୍ ପିଲାଦିନରୁ କ୍ୟାମେରା ପ୍ରତି ଆକର୍ଷିତ । ବେଗ୍ ପରିବାର ଓ ଭଦ୍ରା ପରିବାର ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ମଧ୍ୟ ରହି ଆସିଛି । ତେବେ ବିବାହ ନେଇ ଦୁଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ବାହାଘର ତାରିଖ ସ୍ଥିର ହେବ ବୋଲି ଜଣାପଡ଼ିଛି ।
ବାହା ହେବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ
