ଟାଙ୍ଗୀରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ

କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ ନାରପଡ଼ା ବାରଙ୍ଗ ଗ୍ରାମର ବିରୂପା ନଦୀ ପାର୍ଶ୍ୱରେ ବେଧଡକ ଚୋରା ବାଲି ଚାଲାଣ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ ଦିନ ଶହ-ଶହ ଟ୍ରିପ୍ ବାଲି ଉଠାଣ ହେଉଥିବା ବେଳେ ବାଲି ମାଫିଆ ପୋଲିସ୍ ଓ ପ୍ରଶାସନକୁ ମାସିକ ବଟି ଦେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବାଲି ଚୋରା ଚାଲାଣ ବିଷୟରେ ଖଣି ବିଭାଗ ଓ ଟାଙ୍ଗୀ ପୋଲିସ୍‌କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ । ଫଳରେ ବାଲି ମାଫିଆଙ୍କ ଦାଦାଗିରି ଦିନକୁ ଦିନ ବଢି ଚାଲିଛି । ସେହିପରି ଦିନ ଦ୍ୱିପହରେ ବାଲି ବୋଝାଇ ଟ୍ରାକ୍ଟର ଚାଲାଣ ହେଉଥିବା ବେଳେ ଏକ ସ୍ଥାନୀୟ ଯୁବକ ଏହାର ବିରୋଧ କରି ଟ୍ରାକ୍ଟରକୁ ଅଟକାଇଥିଲେ ଓ ଟାଙ୍ଗୀ ଥାନାକୁ ଖବର ଦେଇଥିଲେ। କିନ୍ତୁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା । ଅନ୍ୟପକ୍ଷେ ବାଲି ମାଫିଆଙ୍କ ଗୁଣ୍ଡାଦଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଯୁବକଙ୍କୁ ଧମକ ଦେଇ ଟ୍ରାକ୍ଟରକୁ ନେଇ ଯାଇଥିବାର ସୂଚନା ରହିଛି । ପୋଲିସ୍ ଓ ଖଣି ବିଭାଗ କାର୍ଯ୍ୟାଳୟ ମାତ୍ର 5 କିମି ଓ 4 କିମି ଦୂରରେ ହୋଇଥିବା ସତ୍ତ୍ୱେ ଘଟଣାସ୍ଥଳରେ ନ ପହଁଚିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିନ ଦ୍ୱିପହରେ ଖୁଲମଖୁଲା ବାଲି ଚାଲାଣ କରିବାକୁ ବାଲି ମାଫିଆଙ୍କୁ ଏତେ ସାହାସ ଦେଲା କିଏ? ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଦାବି ହେଉଛି, ତୁରନ୍ତ ଚୋରା ବାଲି ଉଠାଣ ବନ୍ଦ କରାଯାଉ ଓ ବାଲି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ପ୍ରଶାସନ ଏ ଦିଗରେ କୌଣସି ପଦେକ୍ଷପ ଗ୍ରହଣ ନ କରେ ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।

Leave a Reply

Your email address will not be published. Required fields are marked *