ରାଜସ୍ଥାନ: ସ୍କୁଲ ଶିକ୍ଷାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ୟବହାର ବଢିବାରେ ଲାଗିଛି । ସ୍କୁଲ ପିଲାଙ୍କ ନିର୍ଭରତା ମୋବାଇଲ, ଲାପଟପ୍ ଏବଂ ଇଣ୍ଟରନେଟରେ ବଢୁଛି । କରୋନା ପରେ ଅନଲାଇନ କ୍ଲାସ ସ୍କୁଲ ସିଷ୍ଟମର ଅଂଶ ହୋଇଛି । ଏହି କାରଣ ଯୋଗୁଁ ପିଲାମାନେ ବହି ଠାରୁ ଦୂରେଇ ଯାଉଛନ୍ତି । ଏହାକୁ ନେଇ ଶିକ୍ଷା ବିଶେଷଜ୍ଞ ଚିନ୍ତାରେ ରହିଛନ୍ତି । ଏହାକୁ ଦେଖି ରାଜ୍ୟ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ରାଜସ୍ଥାନ ସରକାର ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଖବରକାଗଜ ପଢିବା ବାଧ୍ୟତାମୂଳକ କରିଛନ୍ତି । ଏହା ପୂର୍ବରୁ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇସାରିଛନ୍ତି । ରାଜସ୍ଥାନ ସରକାର ଶିକ୍ଷା ସଚିବ ଆଦେଶ ଜାରି କରିଛନ୍ତି । ଏହା ଅଧିନରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ପ୍ରତିଦିନ ଖବରକାଗଜ ପଢିବା ବାଧ୍ୟତାମୂଳକ ହେବ । ଛାତ୍ରଛାତ୍ରୀ ପ୍ରତିଦିନ ୧୦ ମିନିଟ୍ ଯାଏଁ ଖବର କାଗଜ ପଢିବାକୁ ହେବ । ଶିକ୍ଷା ସଚିବ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଜାତୀୟ ଏବଂ ଅର୍ନ୍ତଜାତୀୟ ଘଟଣା ବିଷୟରେ ଜାଣିବାକୁ ହେବ ଏବଂ ତାହା ସହିତ ପଢିବା ଅଭ୍ୟାସ ହେବ । ଛାତ୍ରଛାତ୍ରୀ ପଢୁଥିବା ଖବରକାଗଜରୁ ୫ଟି ନୂଆ ଶବ୍ଦ ବାଛିବେ ଏବଂ ଏହାକୁ ପ୍ରାର୍ଥନା ସଭାରେ ସମସ୍ତଙ୍କୁ କହିବେ । ଏହାଦ୍ବାରା ପିଲାଙ୍କ ଶବ୍ଦାବଳୀରେ ସୁଧାର ହେବ । ସେହିପରି ଷଷ୍ଠରୁ ଦ୍ୱାଦଶ ଯାଏଁ ପିଲାମାନେ ଜାତୀୟ ଏବଂ ଅର୍ନ୍ତଜାତୀୟ ଖବର ପଢିବେ । ରାଜସ୍ଥାନ ସରକାରଙ୍କ ଶିକ୍ଷା ସଚିବ ତରଫରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ସରକାରୀ ସ୍କୁଲକୁ ଦୁଇଟି ନ୍ୟୁଜ ପେପର ଆସିବ । ଏହି ଖବରକାଗଜକୁ ଛାତ୍ରଛାତ୍ରୀ ପ୍ରତିଦିନ ପଢିବେ । ଗୋଟିଏ ଇଂଲିଶ ଏବଂ ଗୋଟିଏ ହିନ୍ଦୀ ପେପର ଆସିବ ।
ବାଧ୍ୟତାମୂଳକ ହେଲା ସ୍କୁଲରେ ଛାତ୍ରଛାତ୍ରୀ ନ୍ୟୁଜପେପର ପଢିବା
