ଭୁବନେଶ୍ୱର: ଯେକୌଣସି କାମ ହେଉ ସବୁଥିରେ ଜରୁରୀ ହୋଇପଡ଼ିଛି ଆଧାର କାର୍ଡ । ଆଧାର କାର୍ଡରେ ଆପଣଙ୍କ ଫଟୋ ସହିତ ନାମ ଓ ଠିକଣା ଭଳି ତଥ୍ୟ ରହିଛି । ତଥ୍ୟର ଗୋପନୀୟତା ପାଇଁ ଖୁବଶୀଘ୍ର ଆଧାର କାର୍ଡକୁ ଅପଡେଟ୍ କରାଯିବା ନେଇ ସୂଚନା । ନୂତନ ଆଧାର କାର୍ଡରେ କେବଳ ଫଟୋ ଏବଂ ଏକ QR କୋଡ୍ ରହିବ । ପୂର୍ବରୁ ଲେଖାଯାଇଥିବା ନାମ, ଠିକଣା ଏବଂ ଆଧାର କାର୍ଡ ନମ୍ବର ହଟାଇ ଦିଆଯିବ । UIDAI ଖୁବ୍ ଶୀଘ୍ର ଏପରି ଏକ ଆଧାର କାର୍ଡ ପ୍ରଚଳନ କରିବାକୁ ଯୋଜନା କରୁଛି ଯେଉଁଥିରେ କେବଳ ଏକ ଫଟୋ ଏବଂ ଏକ QR କୋଡ୍ ରହିବ । ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାରକୁ ରୋକିବା ହେଉଛି ଏହାର ଲକ୍ଷ୍ୟ । UIDAIର ସିଇଓ ଭୁବନେଶ କୁମାର ଏହାକୁ ନେଇ ଘୋଷଣା କରିଛନ୍ତି । ଡିସେମ୍ବର ମାସରେ ଏହି ପରିବର୍ତ୍ତନ ହେବା ନେଇ କୁହାଯାଉଛି । ଆଧାର ଆଇନ ଅନୁସାରେ ପୂର୍ବରୁ ହିଁ ଆଧାର କାର୍ଡ ଅଫ୍ଲାଇନ୍ ଯାଞ୍ଚ ହେଉ କି ଫଟୋକପି ରଖିବା ଉପରେ ରୋକ ଲଗାଯାଇଛି । କିନ୍ତୁ ଅନେକ ହୋଟେଲ, ବ୍ୟାଙ୍କ ଏବଂ ଇଭେଣ୍ଟ କମ୍ପାନୀଗୁଡ଼ିକ ଏବେ ବି ଆଧାର କାର୍ଡର ଫଟୋକପି ରଖୁଛନ୍ତି । ତେଣୁ UIDAI ଦ୍ୱାରା ଏପରି ଏକ ଅପଡେଟ୍ କରାଯିବ ଯେଉଁଥିରେ ଆଧାରରେ ଥିବା QR କୋଡ୍ କିମ୍ବା ନମ୍ବର ବ୍ୟବହାର କରି ଏହାକୁ ଅନ୍ଲାଇନ୍ ଯାଞ୍ଚ କରାଯାଇପାରିବ । UIDAI ସିଇଓ ଭୁବନେଶ କୁମାର ଆହୁରି କହିଛନ୍ତି ଯେ ଆଧାରକୁ ଏକ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରିବା ଉଚିତ ନୁହେଁ । ଏହାକୁ କେବଳ ନମ୍ବର କିମ୍ବା QR କୋଡ୍ ବ୍ୟବହାର କରି ଯାଞ୍ଚ କରାଯିବା ଉଚିତ, ନଚେତ୍ ଏହା ନକଲି ହୋଇପାରେ । UIDAI ତରଫରୁ ଏକ ନୂଆ ଆପ୍ ଖୁବ୍ ଶୀଘ୍ର ଲଞ୍ଚ ହେବ ଯାହା mAadhaarକୁ ବଦଳାଇବ । ଏହି ଆପ୍ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ଡେଭଲପ୍ କରାଯାଉଛି । ଆଗାମୀ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ ଏହି ଆପ୍।
ପୁଣି ବଦଳିବ ଆଧାର କାର୍ଡ, ଫଟୋ ଓ QR କୋଡ୍
