ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକର କାମତା ଠାରେ ଆଜି ନବନିର୍ମିତ ଧାନମଣ୍ଡି ତଥା ଧାନ କ୍ରୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଏହି ଅବସରରେ ଚାଷୀଙ୍କ ସମସ୍ୟା ସମାଧାନ ଏବଂ ଧାନ କ୍ରୟ ବ୍ୟବସ୍ଥାକୁ ନେଇ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।
ବିଧାୟକ କହିଥିଲେ ଯେ, ଯଦି ମିଲରମାନେ ଚାଷୀଙ୍କ ଧାନ ପରିବହନ ପାଇଁ ମଣ୍ଡିକୁ ଗାଡ଼ି ପଠାଇବାରେ ବିଫଳ ହୁଅନ୍ତି, ତେବେ ଚାଷୀମାନେ ସିଧାସଳଖ ତାଙ୍କୁ ଜଣାଇପାରିବେ । ସେ ନିଜେ ଗାଡ଼ିର ବ୍ୟବସ୍ଥା କରି ଚାଷୀଙ୍କ ଧାନ ମଣ୍ଡିକୁ ପହଞ୍ଚାଇବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସେ ଆହୁରି କହିଥିଲେ ଯେ, ସରକାର ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବେ । ମଣ୍ଡିରେ ନିର୍ଦ୍ଧାରିତ କଟଣି-ଛଟଣି ଯେତିକି ଧାର୍ଯ୍ୟ କରାଯାଇଛି, କେବଳ ସେତିକି ହିଁ କଟାଯିବ । ଚାଷୀ ଭାଇଭଉଣୀମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ମିଳିବା ସହ ଧାନ ବିକ୍ରୟ ପ୍ରକ୍ରିୟାକୁ ଅଧିକ ସହଜ, ସ୍ୱଚ୍ଛ ଓ ସୁବିଧାଜନକ କରିବା ଦିଗରେ ଏହି ଧାନ କ୍ରୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ । ଚାଷୀଙ୍କ ସମୃଦ୍ଧି ହିଁ ଅଞ୍ଚଳର ପ୍ରଗତିର ମୂଳ ଆଧାର ବୋଲି କହିବା ସହ ଚାଷୀଙ୍କ ସ୍ୱାର୍ଥ, ଅଧିକାର ଓ ଉନ୍ନତି ପାଇଁ ତାଙ୍କର ସଂଗ୍ରାମ ଓ ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।
