ଓଡ଼ିଶା ମୁହାଁ ଭୀଷଣ ବାତ୍ୟା ‘ଅକଭାନ୍’, ୨୦ରେ ଲ୍ୟାଣ୍ଡଫଲ୍ ଆଶଙ୍କା

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ବିପଦ। ଓଡ଼ିଶା ମୁହାଁ ଭୀଷଣ ବାତ୍ୟା ‘ଅକଭାନ୍’। ବାରମ୍ବାର ଗତିପଥ ବଦଳାଇବା ପରେ ଏବେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା। ଏହାକୁ ନେଇ ଚିନ୍ତାରେ ଉପକୂଳବାସୀ। ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ‘ଅକଭାନ୍’। IMDର ପୂର୍ବାନୁମାନ ଅନୁଯାୟୀ, ସେହି ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ।

ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ ରହିଛି ବାତ୍ୟା। ଆନ୍ଧ୍ରର ନରସାପୁରଠାରୁ ୪୮୦ କିଲୋମିଟର, କଳିଙ୍ଗପଟ୍ଟନମ୍‌ଠାରୁ ୫୨୦ କିଲୋମିଟର ଏବଂ ଗୋପାଳପୁରଠାରୁ ୬୧୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଗୋପାଳପୁରରୁ କଳିଙ୍ଗପଟ୍ଟନମ୍‌ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଶାନ୍ତ ହେଉଛି ସମୁଦ୍ର। ପର୍ଯ୍ୟଟକଙ୍କୁ ବେଳାଭୂମି ଯିବାକୁ ବାରଣ କରାଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା ହୋଇଛି। ବିପଦସଙ୍କୁଳ ଅଞ୍ଚଳ, ଖାଲୁଆ ସ୍ଥାନ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଉଛି। ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଆଲୋକ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟପଟେ, ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲା ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଓ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। ସେହିପରି ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *