ଡିଜିପି ପଦ ଚୟନକୁ ନେଇ ବଢ଼ିଲା ଚର୍ଚ୍ଚା। ନିୟମିତ ଡିଜିପି ନିଯୁକ୍ତ ହେବେ ନା ପୁଣି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମିଳିବ ଭାରପ୍ରାପ୍ତ ଦାୟିତ୍ୱ? ଆସନ୍ତା ୩୦ ତାରିଖରେ ବର୍ତ୍ତମାନର ଭାରପ୍ରାପ୍ତ ଡିଜିପି ବିନୟତୋଷ ମିଶ୍ର ଅବସର ନେବାକୁ ଯାଉଥିବାରୁ ଏବେ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ। ଅନ୍ୟପଟେ ଭାରପ୍ରାପ୍ତ ଡିଜିପି ନିଯୁକ୍ତି ସମ୍ଭାବନା ଅଧିକ ଥିବା ଚର୍ଚ୍ଚା ହେଉଛି। ତେବେ ପୂର୍ବ ନିଷ୍ପତ୍ତିର ପୁନରାବୃତ୍ତି ହେବ ନା ବରିଷ୍ଠତାକୁ ଗୁରୁତ୍ୱ ମିଳିବ?

ଡିସେମ୍ବର ପହିଲାରୁ ରାଜ୍ୟ ପୋଲିସ ବାହିନୀର ନେତୃତ୍ୱ କିଏ ନେବେ, ତାହାକୁ ନେଇ ପୋଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। କାରଣ ନିୟମିତ ଡିଜିପି ଚୟନ ପ୍ରକ୍ରିୟା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଡିଜିପି ନିଯୁକ୍ତିରେ ନିର୍ଦ୍ଧାରିତ ନିୟମ ପାଳନ ହୋଇନଥିବା ଅଭିଯୋଗରେ ମାମଲା ଦାୟର ହୋଇଥିଲା। ସେପ୍ଟେମ୍ବର ୨୯ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଫଳରେ ୟୁପିଏସସିର ତିନିଜଣିଆ ଚୂଡ଼ାନ୍ତ ପ୍ୟାନେଲ ଆଧାରରେ ନିୟମିତ ଡିଜିପି ନିଯୁକ୍ତି ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ଦୌଡ଼ରେ ସଞ୍ଜୀବ ପଣ୍ଡା, ୱାଇ.କେ. ଜେଠୱା, ଆର୍.ପି. କୋଚେ ଏବଂ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ଆଲୋଚନାକୁ ଆସୁଛି। ସଞ୍ଜୀବ ପଣ୍ଡା ଓ ୱାଇ.କେ. ଜେଠୱା ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ। ଗତ ଅଗଷ୍ଟରେ ଉଭୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଅନ୍ୟପଟେ ଆର୍.ପି. କୋଚେ ୧୯୯୩ ବ୍ୟାଚ୍ର ହୋଇଥିବା ବେଳେ ସୁଧାଂଶୁ ଷଡ଼ଙ୍ଗୀ ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ।
ତେବେ ଏହି ଚାରିଜଣଙ୍କ ମଧ୍ୟରୁ କାହା ଉପରେ ସରକାର ଭରସା କରିବେ, ତାହା ସ୍ପଷ୍ଟ ହୋଇନାହିଁ। ବିଶେଷ କରି ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି। କାରଣ ଗତ ଅଗଷ୍ଟ ୧୬ରେ ୱାଇ.ବି. ଖୁରାନିଆ ଅବସର ନେବା ପରେ ସେ ଓଡ଼ିଶା କ୍ୟାଡରର ବରିଷ୍ଠତମ କାର୍ଯ୍ୟରତ ଅଧିକାରୀ ଥିଲେ ମଧ୍ୟ ତାଙ୍କୁ ଭାରପ୍ରାପ୍ତ ଡିଜିପି ଦାୟିତ୍ୱ ମିଳିନଥିଲା। ତାଙ୍କ ବଦଳରେ ବିନୟତୋଷ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଏବେ ପୁଣି ସମାନ ପରିସ୍ଥିତି ଉପୁଜିଥିବାରୁ ସରକାର କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରେ ନଜର। ନିୟମିତ ଡିଜିପି ନିଯୁକ୍ତି ହେବ ନା ଅସ୍ଥାୟୀ ଭାବେ କାହାକୁ ଦାୟିତ୍ୱ ଦିଆଯିବ? ଆଗାମୀ ସାତ ଦିନ ମଧ୍ୟରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିବା ସମ୍ଭାବନା ରହିଛି। ଏବେ ସମସ୍ତଙ୍କ ଅପେକ୍ଷା ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ।
