MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପରିବର୍ତ୍ତନ ରାଲି । ରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ । MMDR ସଂଶୋଧନ ପ୍ରତ୍ୟାହାର ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ବିଭିନ୍ନ ଦାବି ନେଇ କଂଗ୍ରେସ ଓ INDIA ବ୍ଲକର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ରାଲି କରାଯାଉଛି ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳୀୟ ନେତା ଓ କର୍ମୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କଂଗ୍ରେସର ପ୍ରମୁଖ ଦାବି ମଧ୍ୟରେ ରହିଛି MMDR ସଂଶୋଧନ ପ୍ରତ୍ୟାହାର ।

ଏହି ସଂଶୋଧନ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥକୁ ପ୍ରଭାବିତ କରିବ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି । ଏହା କଂଗ୍ରେସର ରାଜନୈତିକ ଅଭିଯୋଗ ଓ ଦାବି । ଏହାସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ PCC ସଭାପତି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁଦୃଢ଼ ବ୍ୟାରିକେଡ଼ ବ୍ୟବସ୍ଥା ସହ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା ଆୟୋଜିତ କରାଯାଇଛି । ବିଧାୟକ ତାରା ବାହିନୀପତି କହିଛନ୍ତି, ଓଡ଼ିଶାରୁ ଯାଇଥିବା ୨୦ ସାଂସଦ ସଂସଦରେ ଏହି ପ୍ରସଙ୍ଗରେ ପାଟି ଖୋଲିନାହାନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିବାଦ କରିବ। ରାଜ୍ୟର ହକ୍ ପାଇଁ ଦଳ ଲଢେଇ କରିବ। ତାରା କହିଛନ୍ତି, ‘ଆମେ ଏ ପ୍ରସଙ୍ଗ ପ୍ରଥମେ ବିଧାନସଭାରେ ଉଠାଇଥିଲୁ। ପରେ ବିଜେଡି ଆମକୁ ସମର୍ଥନ କରିଛି। MMDR ସଂଶୋଧନକୁ ନେଇ ରାଜ୍ୟର ସ୍ୱାର୍ଥ ଓ ଖଣିଜ ସମ୍ପଦ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ଜାରି ରହିବ ବୋଲି ତାରା କହିଛନ୍ତି।
