ଶୀତରେ ଥରିବ ଓଡ଼ିଶା, କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ବଢ଼ିବ ଜାଡ଼!

କାଲିଠୁ ବଢ଼ିବ ଶୀତ । ରାତିର ତାପମାତ୍ରା ଖସିବ, ଆଉ ଅସମ୍ଭାଳ ହେବ ଜାଡ଼ । କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଶୀତର ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା । ବାତ୍ୟା ଅକଭାନ୍ ପରେ ଏବେ ପାଗରେ ଆସିବ ବଡ଼ ପରିବର୍ତ୍ତନ । ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ଶୀତ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ନଭେମ୍ବର ୨୨ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଫଳରେ ଭୋର ସମୟରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବ । ଶୀତକୁ ସ୍ୱାଗତ କରିବାକୁ ଏବେଠୁ ପ୍ରସ୍ତୁତ ହେଲେଣି ରାଜ୍ୟବାସୀ ।

ସେପଟେ ବାତ୍ୟା ଅକଭାନ୍ ପରେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆସନ୍ତା ୭ ଦିନ ପାଇଁ ରାଜ୍ୟକୁ IMD ପକ୍ଷରୁ ଜାରି ହୋଇଛି ନୋ ୱାର୍ଣ୍ଣିଂ । ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ରହିବ ଗ୍ରୀନ୍ ଜୋନରେ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର କୌଣସି ଜିଲ୍ଲା ପାଇଁ ବର୍ଷା, ପବନ କିମ୍ବା ଅନ୍ୟ କୌଣସି ପାଣିପାଗଜନିତ ବିପଦର ଚେତାବନୀ ନାହିଁ । ଆଜିଠାରୁ ୨୭ ତାରିଖ ଯାଏଁ ସମସ୍ତ ଜିଲ୍ଲା ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ । IMDର ଚେତାବନୀ ମାନଚିତ୍ରରେ ପ୍ରତ୍ୟେକ ଜିଲ୍ଲାକୁ ସବୁଜ ରଙ୍ଗରେ ଦର୍ଶାଯାଇଛି ।

ନଭେମ୍ବର ୨୦ ତାରିଖରେ ବାତ୍ୟା ଅକଭାନ୍ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ପ୍ରଭାବ ଧୀରେ ଧୀରେ କମିଛି । ବାତ୍ୟା ପ୍ରଣାଳୀ ଦୁର୍ବଳ ହେବା ସହ ରାଜ୍ୟରେ ପାଗରେ ସୁଧାର ଆସିବାର ସଙ୍କେତ ମିଳିଛି । ତେବେ ନୋ ୱାର୍ଣ୍ଣିଂର ଅର୍ଥ ଏହା ନୁହେଁ ଯେ ରାଜ୍ୟରେ କୌଣସି ସ୍ଥାନରେ ବର୍ଷା କିମ୍ବା ପାଗ ପରିବର୍ତ୍ତନ ହେବ ନାହିଁ । ଚେତାବନୀ ନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ତେବେ ବାତ୍ୟା ଭୟରୁ ମୁକ୍ତି ପରେ ଏବେ ଓଡ଼ିଶାରେ ଶୀତର ଆଗମନକୁ ନେଇ ବଢ଼ିଛି ଚର୍ଚ୍ଚା । ଆଗାମୀ ଦିନରେ ତାପମାତ୍ରା କେତେ ଖସୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *