ମଝି ସମୁଦ୍ରରେ ଫସିଲେ ମତ୍ସ୍ୟଜୀବୀ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଆନ୍ଧ୍ରର ୨୭ରୁ ଅଧିକ ମାଛଧରା ଟ୍ରଲର ଫସି ରହିଥିବା ସୂଚନା ମିଳିଛି । ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ସମୁଦ୍ରରେ ଲଘୁଚାପ ଜନିତ ପାଗ ଖରାପ ସହ ପବନର ବେଗ ବଢ଼ିବା ଯୋଗୁଁ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଆସିଥିବା ପ୍ରାୟ ୨୭ରୁ ଅଧିକ ମାଛଧରା ଟ୍ରଲର ଆର୍ଯ୍ୟପଲ୍ଲୀ ସମୁଦ୍ର ଫସି ରହିଥିଲା । ଅଶାନ୍ତ ସମୁଦ୍ର ଯୋଗୁଁ ଟ୍ରଲର ଗୁଡ଼ିକ କୂଳକୁ ଫେରିବାରେ ସମସ୍ୟା ହୋଇଥିଲା । ଏହି ଖବର ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଫସିଥିବା ମତ୍ସ୍ୟଜୀବୀ ଓ ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି । ଇତିମଧ୍ୟରେ କେତେକ ଟ୍ରଲରକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଅନ୍ୟ ଟ୍ରଲରଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଜାରି ହୋଇଥିବା ସତର୍କ ସୂଚନା ସମ୍ପର୍କରେ ଠିକ୍ ଭାବେ ସୂଚନା ମିଳିନଥିବାରୁ ସେମାନେ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଚାଲିଯାଇଥିବା କୁହାଯାଉଛି ।
ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଏଭଳି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଫସିଥିବା ସମସ୍ତ ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିବା ଏବେ ପ୍ରଶାସନ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହୋଇଛି ।
