ସଶକ୍ତ ଓ ସମୃଦ୍ଧ ହେବେ ବୁଣାକାର
ବରଗଡର ବୁଣାକାରଙ୍କୁ ରାଜ୍ୟ ସରକାରଙ୍କର ଫୋକସ । ବେହେରା – ବାଲିଯୋରି ବୁଣାକାର ହାଟର ହେବ ଉନ୍ନତିକରଣ । 27 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ସ୍ୱତନ୍ତ୍ର ବୁଣାକାର ବଜାର । ବଜାର ଭିତରେ ମିଳିପାରିବ ସମସ୍ତ ପ୍ରକାରର ସୁବିଧା। ଆଉ ଏନେଇ ଆଜି ଶୁଭ ଶିଳାନ୍ୟାସ କରିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଯାହାକୁ ନେଇ ବୁଣାକାର ମାନଙ୍କ ମଧ୍ୟରେ ଦେଖା ଦେଇଛି ଖୁସିର ଲହରୀ।

ଧାନ ,ଧନୁ ଓ ବୁଣାକାରଙ୍କ ପାଇଁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ନା କରିଛି ବରଗଡ ।ଜିଲ୍ଲାର ବୁଣାକାର ମାନଙ୍କୁ ଏବେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଖୋଲା ମେଲାରେ ନୁହେଁ ସ୍ୱତନ୍ତ୍ର ବଜାର ଭିତରେ ବ୍ୟବସାୟ କରିବେ ବୁଣାକାର ଓ ବ୍ୟବସାୟୀ। ଏଥିପାଇଁ କରାଯିବ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା। ଉନ୍ନତ ମାନର ଭିତ୍ତିଭୂମି ସହ ବଜାର ବ୍ୟବସ୍ଥା ପାଇଁ 27 କୋଟି ଟଙ୍କାରେ ତିଆରି ହେବ ବେହେରା – ବାଲିଯୋରି ବଜାର । ବିଧିବଦ୍ଧ ଭାବେ ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାର ଶିଳାନ୍ୟାସ କରିଛନ୍ତି।ଏକ ବିଶାଳ ବାଇକ୍ ରାଲୀ ମଧ୍ୟରେ ବରଗଡ ସହରରୁ ବେହେରା ବଜାର ଯାଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଶିଳାନ୍ୟାସ ବେଳେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାସିଶ ଆଚାର୍ଯ୍ୟ ,ବିଜେପୁର ବିଧାୟକ ସନତ ଗଡତିଆଙ୍କ, ପ୍ରଶାସନିକ ଅଧିକାରୀ ଓ ଦଳର ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ଏହି ବଜାର ବ୍ୟବସ୍ଥା ଦ୍ୱାରା କେବଳ ବ୍ୟବସାୟ ନୁହେଁ ବୁଣାକାର ମାନଙ୍କ ଆର୍ଥିକ ସ୍ଥିତି ସୁଧୁରିବା ସହ ବୟନ ଶିଳ୍ପ ପାଇଁ ମାଇଲ ଖୁଣ୍ଟ ପାଲଟିବ।

ଏବେ ଏହି ଚିତ୍ରକୁ ଦେଖନ୍ତୁ । ପୂର୍ବ ସରକାର ସମୟରେ ବୁଣାକାରଙ୍କ ପାଇଁ କୋଟି କୋଟି ଟଙ୍କାରେ ତିଆରି ହୋଇଥିଲା ଏହି ବିଲ୍ଡିଙ୍ଗ । ଲକ୍ଷ ଥିଲା ବୁଣାକାର ମାନେ ଏଠି ବ୍ୟବସାୟ କରିବେ କିନ୍ତୁ ଭୁଲ୍ ପ୍ଲାନିଙ୍ଗ ସହ ଆବଶ୍ୟକ ଭିତ୍ତିଭୂମି,ପାର୍କିଂ ବ୍ୟବସ୍ଥା ଭଳି ବିଭିନ୍ନ ସମସ୍ୟା ଥିବାରୁ ବିଲ୍ଡିଙ୍ଗ କୁ ଆରମ୍ଭ ରୁ ମୁହଁ ମୋଡ଼ି ଦେଇଥିଲେ ବୁଣାକାର । ବିଲ୍ଡିଙ୍ଗ ତିଆରି ବେଳେ ବୁଣାକାର ମାନଙ୍କ ବିନା ପରାମର୍ଶରେ ଏହା ନିର୍ମାଣ ହୋଇଥିଲା ,ଯାହାକୁ ଘୋର ବିରୋଧ କରିଥିଲେ ବୁଣାକାର । ଆଉ ପୂର୍ବ ଭଳି ଆରଏମସି ମାର୍କେଟ ୟାର୍ଡରେ ଖୋଲାମେଲାରେ ବ୍ୟବସାୟ କରୁଛନ୍ତି ବୁଣାକାର । ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ବୁଣାକାର ମାନଙ୍କ ପାଇଁ ଯେଉଁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ପ୍ରକଳ୍ପ ପୁରା ହେଲେ ସ୍ୱାଭିମାନର ସହ ବଜାର ବ୍ୟବସ୍ଥା ଭିତରେ ହେବ ବେପାର। ଆଉ ସରକାର ଙ୍କ ଏହି ପଦକ୍ଷେପ ଯୋଗୁଁ ବୁଣାକାର ମାନେ ବେଶ୍ ଖୁସି ହେବା ସହ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
