ସ୍ପଷ୍ଟ ହେଲା ବାତ୍ୟା ‘ମନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବ। ଏହାର ପ୍ରଭାବରେ ୨୭ ତାରିଖ ସୋମବାରଠାରୁ ୪ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲାକୁ ବାତ୍ୟା ଓ ବର୍ଷା ଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପ ୧୫ ଜିଲ୍ଲା ଉପରେ ଅଧିକ ରହୁଥିବାରୁ ସେଠାରେ ସଜାଗ ରହିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ୟ୍ୟନ୍ତ ଛୁଟି ବାତିଲ। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ବାଲେଶ୍ଵର ଜିଲ୍ଲାପାଳ। ସେହିପରି ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ କରାଯାଇଛି ଏବଂ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ୟ୍ୟନ୍ତ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ମାଲକାନଗିରିରେ ୨୭ରୁ ୩୦ ପର୍ୟ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। କୋରାପୁଟରେ ୨୭ରୁ ୩୦ ତାରିଖ ପର୍ୟ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ପର୍ୟ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ।
ଆସୁଛି ବାତ୍ୟା ମନ୍ଥା
