ବିଭିନ୍ନ ଦାବିକୁ ନେଇ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ କରାଯାଇଛି। ଏହି ବନ୍ଦକୁ କଂଗ୍ରେସ ସମେତ ସିପିଆଇ, ସିପିଏମ, ଫରୱାର୍ଡ ବ୍ଲକ, ଏନସିପି (ଶରଦ ପାୱାର), ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମଏମ ସମର୍ଥନ କରୁଛନ୍ତି। ୪ ଦଫା ଦାବିକୁ ନେଇ ଓଡିଶା ବନ୍ଦ । ଇଣ୍ଡିଆ ମେଣ୍ଟ ପକ୍ଷରୁ ଚାରି ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। MMDR ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ରହିଛି। ସେହିପରି SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି।

ବନ୍ଦ ପ୍ରଭାବରେ ଦୋକାନବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ କେତେକ ବେସରକାରୀ ଅଫିସ ବନ୍ଦ ରହିପାରେ। ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାକୁ ଜନସାଧାରଣ, ବ୍ୟବସାୟୀ, ଶ୍ରମିକ, କୃଷକ ଏବଂ ଛାତ୍ର-ଯୁବ ସଂଗଠନକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ କରାଯାଇଛି। ବନ୍ଦ ସମୟରେ ପ୍ରମୁଖ ରେଳ ଓ ସଡ଼କ ପଥରେ ଆନ୍ଦୋଳନକାରୀଙ୍କ ପିକେଟିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ଟ୍ରକ, ଅଟୋ ଭଳି ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ପରିବହନ ବ୍ୟବସ୍ଥା ଓ ସୁରକ୍ଷା ଦୃଷ୍ଟିରୁ କେତେକ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ତେବେ ରାଜ୍ୟରେ ବସ ଚଳାଚଳ ଜାରି ରହିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ବନ୍ଦରୁ ଜରୁରୀ ସେବାଗୁଡ଼ିକୁ ବାଦ ଦିଆଯାଇଛି। ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, କ୍ଷୀର ଯୋଗାଣ ସମେତ ଅନ୍ୟ ଜରୁରୀକାଳୀନ ସେବା ସ୍ୱାଭାବିକ ରହିବ। ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି, ସାଧାରଣ ଲୋକଙ୍କ ସୁରକ୍ଷା ଓ ଜରୁରୀ ସେବା ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯିବ। ତେଣୁ ବନ୍ଦ ଯୋଗୁଁ ଯାତାୟାତ କିମ୍ବା ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ଯାତ୍ରା ଓ କାର୍ଯ୍ୟକ୍ରମ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।
