ନୂଆଦିଲ୍ଲୀ :(ଫୋକସ ପ୍ଲସ )ଆଜି ଗୃହରେ ଭାଷଣ ଦେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ‘ପଞ୍ଚାୟତ ଏବଂ ପୌରପାଳିକାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ବ୍ୟବସ୍ଥା ପ୍ରଥମେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ କଂଗ୍ରେସ ସରକାର ଏହି ଗୃହରେ ଆଗତ କରାଯାଇଥିଲା। ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଏହା ଉପରେ ଆଲୋଚନା କରିଥିଲେ କିନ୍ତୁ ସେତେବେଳେ କିଏ ଏହାକୁ ବିରୋଧ କରିଥିଲା ତାହା କହିଲେନି। ଦଳ ମହିଳା ସଂରକ୍ଷଣକୁ ସମର୍ଥନ କରେ କିନ୍ତୁ ଏହି ବିଲ୍ ଦ୍ବାରା ଭାରତୀୟ ଜନତା ପାର୍ଟି (ବିଜେପି) ର ରାଜନୀତିର ଗନ୍ଧ ଜଣାପହୁଛି। ସେ ଅଭିଯୋଗ କରିଛନ୍ତି ଯେ ଯଦି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହୁଏ, ତେବେ ଭାରତରେ ଗଣତନ୍ତ୍ର ଶେଷ ହୋଇଯିବ।ପ୍ରିୟଙ୍କା କହିଛନ୍ତି, ମୁଁ ଏହି ବିଷୟରେ ଟିକିଏ ପୃଷ୍ଠଭୂମି କହିବାକୁ ଚାହେଁ। କାରଣ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏହାକୁ କିଏ ବନ୍ଦ କରିଥିଲା, ଏହାକୁ କିପରି ବନ୍ଦ କରାଯାଇଥିଲା ଏବଂ ଏହି ନିଷ୍ପତ୍ତିକୁ ୩୦ ବର୍ଷ ଧରି କିପରି ଲଟକାଇ ରଖାଯାଇଥିଲା ସେ ବିଷୟରେ ବହୁତ କିଛି କହିଥିଲେ। ଶାସକ ଦଳର ମୋର ସହକର୍ମୀ ଯଦିଓ ମୋ କଥା ପସନ୍ଦ କରିନପାରନ୍ତି, କିନ୍ତୁ ଐତିହାସିକ ପୃଷ୍ଠଭୂମି ହେଉଛି ଏହା ମଧ୍ୟ ନେହେରୁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। କିନ୍ତୁ ଚିନ୍ତା କରନ୍ତୁ ନାହିଁ, ଏ ସେହି ନେହେରୁ ନୁହଁନ୍ତି ଯାହାଙ୍କୁ ନେଇ ଆପଣ ଦ୍ବିଧା ପ୍ରକାଶ କରନ୍ତି। ସେ ହେଉଛନ୍ତି ତାଙ୍କ ବାପା ମୋତିଲାଲ ନେହେରୁ, ୧୯୨୮ ରେ ସେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ କଂଗ୍ରେସ କାର୍ଯ୍ୟ ସମିତି ଆଗରେ ଉପସ୍ଥାପିତ କରିଥିଲେ।
ମହିଳା ସଂରକ୍ଷଣ ବିଲ୍ ସବୁଠାରୁ ପ୍ରଥମେ କଂଗ୍ରେସ ଆଣିଥିଲା, ସେତେବେଳେ ବିଜେପି ହିଁ ବିରୋଧ କରିଥିଲା: ପ୍ରିୟଙ୍କା
