ନିମାପଡା ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି ?
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୯ତମ ତିରୋଧାନ ଦିବସରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଏକେ ଦଳର ଦୁଇ ଗୋଷ୍ଠୀ ଅଲଗା ଅଲଗା ଭାବେ କାର୍ଯ୍ୟକ୍ରମ କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗୋଟିଏ ପଟେ ସୁବ୍ରତ ଛାଟୋଇ ଗୋଷ୍ଠୀର ପଦଯାତ୍ରା, ଅନ୍ୟ ପଟେ ଦିଲ୍ଲୀପ ନାୟକ ସମର୍ଥକଙ୍କ ଶ୍ରଦ୍ଧାଞ୍ଜଳି ସଭା। ନିମାପଡା ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ନିମାପଡା ନୂତନ ବସ୍ ଷ୍ଟାଣ୍ଡ ଠାରୁ ବ୍ଲକ ନିକଟରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସୁବ୍ରତ ଛାଟୋଇଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ନେତୃତ୍ୱ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ।
ଏହି ପଦଯାତ୍ରାରେ ପୁରୀ ଜିଲ୍ଲା ବିଜେଡି ମହିଳା ସଭାପତି କସ୍ତୁରିବାଳା ସ୍ୱାଇଁ, ବ୍ଲକ ସଭାପତି ଭାଗିରଥୀ ଖଟୋଇ, ଏନଏସି ସଭାପତି ଧନୁର୍ଦ୍ଧର ଦାସଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ସୁବ୍ରତ ଗୋଷ୍ଠୀ ନିଜ ସଂଗଠନୀୟ ଶକ୍ତି ଦେଖାଇଥିବା ଚର୍ଚ୍ଚା ହେଉଛି।

ସେହିପରି ଅନ୍ୟ ପଟେ ନିମାପଡା ବ୍ଲକ ଛଣିଜଙ୍ଗ ପଞ୍ଚାୟତ ଚକରଡ଼ା ଗ୍ରାମରେ ଦିଲ୍ଲୀପ ନାୟକ ସମର୍ଥକଙ୍କ ପକ୍ଷରୁ ପୃଥକ ଭାବେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।
ଏହି ସଭାରେ ପଞ୍ଚାୟତ ସଭାପତି ବଳରାମ ନାୟକ, ପୂର୍ବତନ ସରପଞ୍ଚ ମାନସ ପ୍ରଧାନ, ପୂର୍ବତନ ଏନଏସି ସଭାପତି ଦିଲୀପ ପାତ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଅପରାହ୍ନ ୧ଟା ୩୦ରୁ ଆରମ୍ଭ ହୋଇ ପ୍ରାୟ ୨ଟା ୫୦ରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ଗୋଟିଏ ଦିନ, ଏକ ଅବସରରେ ଦୁଇଟି ଅଲଗା କାର୍ଯ୍ୟକ୍ରମ ନିମାପଡା ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି। ଆଗାମୀ ଦିନରେ ଏହି ଗୋଷ୍ଠୀ କନ୍ଦଳ ଦଳକୁ କେତେ ପ୍ରଭାବିତ କରିବ, ସେଥିପାଇଁ ଏବେ ସମସ୍ତଙ୍କ ନଜର।
ନିମାପଡାରେ ବିଜୁ ତିରୋଧାନ ଦିବସ ପାଳନ ଠାରୁ ବେଶି ଚର୍ଚ୍ଚାରେ ରହିଲା ବିଜେଡିର ଦୁଇ ଫାଳ ଚିତ୍ର। ଏକତାର ସନ୍ଦେଶ ବଦଳରେ ଦଳୀୟ ଭିନ୍ନମତ ଏବେ ଖୋଲାମେଳା ଭାବେ ସାମ୍ନାକୁ ଆସିଛି।
