ବଢ଼ୁଛି SC-ST ମାମଲା: ରାଜ୍ୟରେ ଖୋଲିବ ୨୧ ସୁରକ୍ଷା ଥାନା

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂକ୍ରାନ୍ତୀୟ ମାମଲା ବଢ଼ୁଥିବା ହେତୁ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୨୧ଟି ସ୍ୱତନ୍ତ୍ର SC-ST ସୁରକ୍ଷା ଥାନା ପ୍ରତିଷ୍ଠା ହେବ । ଏହି ବାବଦରେ ଦସ୍ତାବିଜ ଗୃହ ବିଭାଗକୁ ପଠାଯାଇଥିବା ଜଣାପଡ଼ିଛି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୧ ହଜାର ୯୯୬ଟି SC-ST ସଂକ୍ରାନ୍ତ ମାମଲା ରୁଜୁ ହୋଇଛି । ମାମଲା ସଂଖ୍ୟା ବଢ଼ିବା ସହ ଏହାର ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଲାଗି ରାଜ୍ୟ ପୋଲିସର ମାନବାଧିକାର ସେଲ୍‌ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏଚ୍‌ଆର୍‌ପିସି ବର୍ତ୍ତମାନ ରାଜ୍ୟରେ ଏସ୍‌ସି ଏସ୍‌ଟି ଓ ମାନବାଧିକାର ସଂକ୍ରାନ୍ତ ମାମଲାର ନୋଡାଲ୍‌ ମେକାନିଜମ୍‌ ଭାବେ କାର୍ଯ୍ୟ କରୁଛି । ୨୦୧୬ରେ ଏଚ୍‌ଆର୍‌ପିସି ଅଧୀନରେ ଏସ୍‌ସି ଏସ୍‌ଟି ଓ ମାନବାଧିକାର ସଂକ୍ରାନ୍ତ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ ଷ୍ଟେସନ୍‌ ଗଠନ କରାଯାଇଥିଲା । ମାମଲା ବଢ଼ିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୧ଟି ସ୍ୱତନ୍ତ୍ର ଥାନା ଖୋଲିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ସମେତ ଯାଜପୁର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଭଦ୍ରକ, ଜଗତସିଂହପୁର, ଗଞ୍ଜାମ, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, ବାଲେଶ୍ୱର, ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁର ଓ ସୁନ୍ଦରଗଡ଼ ସମେତ ଭୁବନେଶ୍ୱର ଓ କଟକ କମିସନରେଟ୍‌ରେ ଏହି ଥାନାଗୁଡ଼ିକ ପ୍ରତିଷ୍ଠା ହେବ।

ଏସ୍‌ସି ଏସ୍‌ଟି ସଂକ୍ରାନ୍ତ ହିଂସା ମାମଲାର ତଦନ୍ତ କ୍ଷମତା ପୂର୍ବରୁ ମୁଖ୍ୟତଃ ଡିଏସ୍‌ପିଙ୍କ ହାତରେ ଥିଲା । ଏବେ ଇନ୍‌ସ୍‌ପେକ୍ଟର ଓ ଏସ୍‌ଆଇମାନେ ମଧ୍ୟ ଏଭଳି ମାମଲାର ତଦନ୍ତ କରିପାରିବେ । ମାମଲାର ଗୁରୁତ୍ୱକୁ ଦେଖି ଏସ୍‌ପି ଡିଏସ୍‌ପି, ଇନ୍‌ସ୍‌ପେକ୍ଟର କିମ୍ବା ଏସ୍‌ଆଇଙ୍କୁ ତଦନ୍ତ ଦାୟିତ୍ୱ ଦେଇପାରିବେ । ତଦନ୍ତ ସହ ଆଇନ ଅନୁଯାୟୀ ଇନ୍‌ସ୍‌ପେକ୍ଟର ଓ ଏସ୍‌ଆଇମାନେ ଗିରଫଦାରୀ ମଧ୍ୟ କରିପାରିବେ। ଏହାଦ୍ୱାରା ମାମଲାର ତଦନ୍ତ ଅଧିକ ଦ୍ରୁତ ହେବା ସହ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ମିଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।ଏସ୍‌ସି ଏସ୍‌ଟି ମାମଲାର ଶୁଣାଣି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ୬ଟି ସ୍ୱତନ୍ତ୍ର କୋର୍ଟ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି।ଏହି କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେବ।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋର୍ଟରେ ପ୍ରାୟ ୧୯ ହଜାର ଏସ୍‌ସି-ଏସ୍‌ଟି ସଂକ୍ରାନ୍ତ ମାମଲା ବିଚାରାଧୀନ ରହିଛି। ଏହି ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ଓ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କୋର୍ଟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।ଏହି ପଦକ୍ଷେପ ଫଳରେ ଏସ୍‌ସି-ଏସ୍‌ଟି ସଂକ୍ରାନ୍ତ ଅପରାଧର ତଦନ୍ତ ଠାରୁ ଆରମ୍ଭ କରି ମାମଲାର ଶୁଣାଣି ପର୍ଯ୍ୟନ୍ତ ପ୍ରକ୍ରିୟା ଅଧିକ ଦ୍ରୁତ ଓ ସୁସଂଗଠିତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *