ଛାତ୍ର ସଂସଦ ନିର୍ବାଚନରେ କଡ଼ା କଟକଣା: ଜାଣନ୍ତୁ କଣ ରହିଛି ସର୍ତ୍ତ

କ୍ୟାମ୍ପସରେ ବାଜିଲା ନିର୍ବାଚନ ବିଗୁଲ୍। ୭ରେ ଆସିବ ବିଜ୍ଞପ୍ତି, ୧୫ରେ ଭୋଟ୍। ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ତାରିଖ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବେ କରିବା ପାଇଁ ପ୍ରାର୍ଥୀମାନଙ୍କ ଉପରେ ଲାଗୁ ହୋଇଛି କଡ଼ା ନିୟମ । ଏହି ନିର୍ବାଚନୀ ପ୍ରଚାରରେ ପ୍ରିଣ୍ଟ ପୋଷ୍ଟର, ପାମ୍ପଲେଟ୍ ଏବଂ ଅନ୍ୟାନ୍ୟ ମୁଦ୍ରିତ ସାମଗ୍ରୀ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ପ୍ରାର୍ଥୀମାନେ କେବଳ ହାତ ତିଆରି ପୋଷ୍ଟର ବ୍ୟବହାର କରିପାରିବେ । କ୍ୟାମ୍ପସ ବାହାରେ କୌଣସି ପ୍ରକାରର ଶୋଭାଯାତ୍ରା, ବୈଠକ କିମ୍ବା ନିର୍ବାଚନୀ କ୍ୟାମ୍ପେନ୍ କରିବାକୁ ଅନୁମତି ନାହିଁ। କଲେଜ ପରିସରରେ ଶୋଭାଯାତ୍ରା କିମ୍ବା ବୈଠକ କରିବାକୁ ହେଲେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଆଗୁଆ ଲିଖିତ ଅନୁମତି ନେବାକୁ ପଡ଼ିବ।

ନିର୍ବାଚନୀ ପ୍ରଚାର ସମୟରେ ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର ଉପରେ ମଧ୍ୟ ରୋକ ଲଗାଯାଇଛି । ପ୍ରାର୍ଥୀମାନେ ପରସ୍ପରଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରମଣ କିମ୍ବା ଭିତ୍ତିହୀନ ଅଭିଯୋଗ କରିପାରିବେ ନାହିଁ। ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କଲେ ସମ୍ପୃକ୍ତ ଥିବା ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବିଶେଷକରି AI ଦ୍ୱାରା ପ୍ରସ୍ତୁତ ଫେକ୍ ଭିଡିଓ, ଫଟୋ କିମ୍ବା ଅନ୍ୟାନ୍ୟ ନକଲି କଣ୍ଟେଣ୍ଟ ପ୍ରଚାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ଏହା ବ୍ୟତୀତ ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫,୦୦୦ ଟଙ୍କା ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ କରିପାରିବେ। ଫଳାଫଳ ଘୋଷଣାର ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କୁ ସମସ୍ତ ନିର୍ବାଚନୀ ଖର୍ଚ୍ଚର ହିସାବ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେବାକୁ ହେବ । କଲେଜ କର୍ତ୍ତୃପକ୍ଷ ହିସାବ ପାଇବାର ଦୁଇ ଦିନ ମଧ୍ୟରେ ତାହାକୁ HIMS Portalରେ ପ୍ରକାଶ କରିବେ। ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କ ନିର୍ବାଚନ ବାତିଲ ହୋଇପାରେ । ରାଜନୈତିକ ଦଳଠାରୁ ଅର୍ଥ ଗ୍ରହଣ ଉପରେ ସମ୍ପୂର୍ଣ୍ଣ ରୋକ ରହିଛି । ସ୍ୱେଚ୍ଛାକୃତ ଅବଦାନ ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ପ୍ରାର୍ଥୀମାନେ ଟଙ୍କା ନେଇପାରିବେ ନାହିଁ ।

UG/+3 ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ । PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇପାରିବ । ପ୍ରାର୍ଥୀଙ୍କର କୌଣସି ଏକାଡେମିକ୍ ବ୍ୟାକ୍ ନଥିବା ସହ ଅତିକମରେ ୭୫% କ୍ଲାସ୍ ଉପସ୍ଥାନ ରହିବା ଆବଶ୍ୟକ । ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ମାତ୍ର ନିର୍ବାଚନ ଲଢ଼ିପାରିବେ। ଏହି ନିୟମଗୁଡ଼ିକର ଉଦ୍ଦେଶ୍ୟ ଛାତ୍ର ସଂସଦ ନିର୍ବାଚନକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା।

Leave a Reply

Your email address will not be published. Required fields are marked *