ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ। ଏହି ଆନ୍ତର୍ଜାତୀୟ ରୁଟରେ ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ବିମାନ ଗତକାଲିଠାରୁ ପୁଣି ଉଡ଼ିଛି । ବିମାନ ନମ୍ବର ୧୦୬୫ ଗତକାଲି ରାତି ୧୧ଟା ୫ ମିନିଟ୍ ରେ ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିଥିଲା। ବ୍ୟାଙ୍କକରୁ ଆଜି ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ଅଭିମୁଖେ ବିମାନ ବାହାରିଛି । ପ୍ରାଥମିକ ଭାବେ ସପ୍ତାହକୁ ଦୁଇ ଥର ଏହି ସେବା ଚାଲିବ।

ଶୁକ୍ରବାର ରାତିରେ ଉଡାଣ ଭରି ବିମାନ ଶନିବାର ସକାଳେ ଫେରିବ । ଆସନ୍ତା ୨୫ ତାରିଖରୁ ବଦଳିବ ବିମାନର ସମୟସୂଚୀ । ଶୀତକାଳୀନ ସିଡ୍ୟୁଲ୍ ଅନୁସାରେ ରାତି ବଦଳରେ ଦିନ ସମୟରେ ଚାଲିବ ବିମାନ । ଦିନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିନ ୧ଟା ୩୫ରେ ପୁଣି ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ ।
ବ୍ୟାଙ୍କକ ବିମାନ ସେବା ପୁଣି ଆରମ୍ଭ ହେବା ଭୁବନେଶ୍ୱର ବିମାନବନ୍ଦର ପାଇଁ ଭଲ ଖବର। ବ୍ୟାଙ୍କକ ରୁଟ୍ ରେ ଭୁବନେଶ୍ୱରରୁ ଭଲ ଯାତ୍ରୀ ମିଳୁଥିବା ବେଳେ ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ଆରମ୍ଭ ପାଇଁ ଉଦ୍ୟମ ଚାଲିଛି। ସେହିପରି, ଯାତ୍ରୀ ଲୋଡ୍ ମିଳିଲେ ସିଙ୍ଗାପୁର ବିମାନ ସେବା ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
