ପୁଣି ବାତ୍ୟା ଭୟ, ଧୋଇଯିବ ଦଶହରା

ପୁଣି ଡରାଇଲାଣି ବାତ୍ୟା ଭୟ । ୧୩ରେ ଲଘୁଚାପ । ସେପ୍ଟେମ୍ବର ସାରା ବାତ୍ୟା ପରେ ଏବେ ଅକ୍ଟୋବରରେ ବି ବଢିଲାଣି ଭୟ । ନୂଆ ସିଷ୍ଟମ୍ ଆସିବା ନେଇ ଆକଳନ କଲେଣି ବିଭିନ୍ନ ମଡେଲ୍‌ । ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ । ଅବପାତ ଅଧିକ ଘନୀଭୂତ ହେଲେ ଏହା ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି ।

ଅକ୍ଟୋବର ପ୍ରଥମ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟରୁ ମୌସୁମୀ ବିଦାୟ ନେଇସାରିଥିବ । ତେଣୁ ବାତ୍ୟା ପାଇଁ ପାଗ ଅନୁକୂଳ ଓ ଅବପାତ ହେବାର ସମସ୍ତ ସମ୍ଭାବନା ଅଧିକ ରହୁଥିବା ଅନୁମାନ କରାଯାଇଛି । ସମ୍ଭାବ୍ୟ ଅବପାତ ଅଧିକ ଘନୀଭୂତ ହେବ କି ନାହିଁ ସେନେଇ କୌଣସି ଆକଳନ କରାଯାଇ ନାହିଁ । ତେବେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିପାରେ ବୋଲି ଆକଳନ କରିଛନ୍ତି ବିଶ୍ବସ୍ତରୀୟ ପାଣିପାଗ ମଡେଲ୍‌ । ବର୍ତ୍ତମାନ ୧୫ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ । କିନ୍ତୁ ୧୭-୧୮ ତାରିଖ ବେଳକୁ ବର୍ଷା ବଢ଼ିପାରେ । ଏମିତିକି ଦଶହରାବେଳକୁ ସମ୍ଭାବ୍ୟ ଅବପାତ ଉପକୂଳ ପାଖାପାଖି ରହିବାର ସମ୍ଭାବନା ଥିବାରୁ ବର୍ଷା ବଢ଼ିବା ସମ୍ଭାବନା ଅଛି । ତେଣୁ ଏଥର ବର୍ଷାରେ ଭିଜିବ ଦଶହରା ।

ଅନ୍ୟପଟେ ଦ୍ବିତୀୟ ସପ୍ତାହରେ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ମଧ୍ୟ ଆକଳନ କରିଛନ୍ତି । ତେବେ ଏହା କେତେ ଘନୀଭୂତ ହେବ, କେଉଁ ଉପକୂଳକୁ ଗତିକରିବ ସେନେଇ ଏ ପର୍ଯ୍ୟନ୍ତ କିଛି କୁହାଯାଇପାରୁନି ।

Leave a Reply

Your email address will not be published. Required fields are marked *