ଜୁଭେଣ୍ଟିକା ରେ ଯୁବ ସଚେତନତା

ପୋଲିସ ସହ ଯୋଡ଼ିଲେ ୬୦୦ରୁ ଅଧିକ କିଶୋର କିଶୋରୀ

କିଶୋର କିଶୋରୀ ଏବଂ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ସେମାନଙ୍କ ଅଧିକାର ଓ ସଚେତନତା ବୃଦ୍ଧି ପାଇଁ କୋରାପୁଟ ଜିଲ୍ଲାରେ ଆୟୋଜିତ ହେଲା “ଜୁଭେଣ୍ଟିକା” କାର୍ଯ୍ୟକ୍ରମ। ଜିଲ୍ଲାର ୨୫ଟି ଥାନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ କିଶୋର ଓ କିଶୋରୀ ଯୋଗଦେଇଥିଲେ।

କୋରାପୁଟ ଟାଉନ ଥାନା ସଭାଗୃହରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ କୋରାପୁଟ ଏସପି ରୋହିତ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋର କିଶୋରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଭବିଷ୍ୟତରେ ସେମାନେ କେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେନେଇ ମତାମତ ନେବା ସହ ଉତ୍ସାହବର୍ଦ୍ଧକ ପରାମର୍ଶ ଦେଇଥିଲେ।

ଥାନାର କାର୍ଯ୍ୟପ୍ରଣାଳୀ, ପୋଲିସର ଭୂମିକା ଏବଂ ଆଇନ ସମ୍ପର୍କିତ ଜ୍ଞାନ ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ପୋଲିସ ସହ ସୁସମ୍ପର୍କ ରଖି ସମାଜରେ ସୁରକ୍ଷିତ ପରିବେଶ ଗଢ଼ି ତୋଳିବାକୁ ଆହ୍ୱାନ ଦିଆଯାଇଥିଲା।

କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୟୁନିସେଫର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କିଶୋର କିଶୋରୀମାନେ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *