ନିଆଳି ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ବିଧିବଦ୍ଧ ଭାବେ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ସ୍ଥିତ ଜିଲ୍ଲା ଯୋଜନା କାର୍ଯ୍ୟାଳୟରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ସେ ନିଜ ଉଦବୋଧନ ରେ କହିଥିଲେ ଯେ, ଏହା କେବଳ ଏକ ପଦବୀ ନୁହେଁ, ବରଂ କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ବଡ଼ ଦାୟିତ୍ୱ, ସଂକଳ୍ପ ଓ ଲୋକସେବାର ସୁଯୋଗ । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଅର୍ପଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇବା ସହ ଏହି ବିଶ୍ୱାସକୁ କାର୍ଯ୍ୟଦକ୍ଷତା ମାଧ୍ୟମରେ ସାର୍ଥକ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା କରାଯାଇ ଯେଉଁ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟଗୁଡ଼ିକ ଅଟକି ରହିଛି, ସେଗୁଡ଼ିକର ତର୍ଜମା କରି ତ୍ୱରିତ ଅଗ୍ରଗତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ସେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିବା ସହ ପ୍ରଶାସନ ଓ ଜନପ୍ରତିନିଧିମାନେ ସମନ୍ୱୟ ରକ୍ଷା କରି ଏକାଠି କାମ କଲେ କଟକ ଜିଲ୍ଲାକୁ ବିକାଶର ନୂଆ ଶିଖରକୁ ନେଇହେବ ବୋଲି ମତ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମାନ ଉନ୍ନତି, ଯୁବଶକ୍ତିଙ୍କୁ ରୋଜଗାର ଓ ସୁଯୋଗ, କୃଷକ ଓ ଶ୍ରମିକଙ୍କ ସଶକ୍ତିକରଣ, ମହିଳାଙ୍କ ସାମାଜିକ ଓ ଆର୍ଥିକ ଅଗ୍ରଗତି, ଏହାସହ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବାକୁ ଅଗ୍ରାଧିକାର ଭିତ୍ତିରେ କାମ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ। ଏହି ଅବସରରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଉଦ୍ବୋଧନ ଦେଇ କହିଥିଲେ ଯେ, ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ସଦାସର୍ବଦା ସହଯୋଗର ହାତ ବଢ଼ାଇବେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭଉସାହେବ ଶିନ୍ଦେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ବହୁ ସଂଖ୍ୟକ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପଟେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ଯାତ୍ରାର ଆୟୋଜନ କରାଯାଇଥିଲା, ଯାହା କଟକ ଭେଲଭ୍ୟୁ ଛକରୁ ଆରମ୍ଭ ହୋଇ ପେଟାନାଳ ସ୍ଥିତ ନୂତନ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ପର୍ଯ୍ୟନ୍ତ ‘ପହଞ୍ଚିଥିଲା ଏବଂ ଏହା ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା
