ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଲୋକଙ୍କ କଥାରେ ପଡି ପଳାଇ ଗଲା ବର
ଏଭଳି ଏକ ଘଟଣା ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରାଧା କୃଷ୍ଣ ମନ୍ଦିରରେ ଦେଖିବାକୁ ମିଳିଥିବା ବେଳେ ବର କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ୩ ବର୍ଷର ପ୍ରେମ ସମ୍ପର୍କ ପରେ ୩ ମାସ ହେବ ଉଭୟ ପ୍ରେମୀ ଯୁଗଳ ଘରଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ରହୁଥିଲେ । ତେବେ ଆଜି ଉଭୟ ଙ୍କ ସହମତିରେ ରେଜିଷ୍ଟ୍ରି ବିବାହ ହୋଇଥିବା ବେଳେ ବିଧି ଅନୁସାରେ ମନ୍ଦିରରେ ବିବାହ ଚାଲିଥିଲା । ତେବେ ବର ପକ୍ଷରୁ କିଛି ବ୍ୟକ୍ତି ମନ୍ଦିର ଭିତରେ ଧସେଇ ପଶି ବରକୁ ନେଇ ଯିବାକୁ ଉଦ୍ୟମ କରିବା ସହ ବର ମନକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ ।

ତେବେ ବର କ୍ଷୀରୋଦ ମହାନ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ କନ୍ୟା ଲାବଣ୍ୟସ୍ମିତା ମହାନ୍ତ ପୁଅ କୁ ବିବାହ କରିବାକୁ ଜିଦ୍ ଧରିଛନ୍ତି । ଅନ୍ୟପଟେ ବଢ଼ିଲା ଝିଅ ଘରୁ ପାଦ କାଢିଲା ପରେ ପୁଣି କେମିତି ଅଧା ବିବାହ ରୁ ଘରକୁ ନେଇ ଯିବେ ସେନେଇ ଚିନ୍ତାରେ କନ୍ୟାର ପରିବାର। ଅନ୍ୟପଟେ ବର ଘର ପରିବାର ପକ୍ଷରୁ ଏହି ବିବାହକୁ ଆଦୌ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ଉଭୟ ପକ୍ଷକୁ ନେଇ ସହଦେବ ଖୁଣ୍ଟା ଥାନା ପୋଲିସ ତଦନ୍ତ ଜାରି ରଖିଛି ।
