ଆମେ ଅଧିକାଂଶ ସମୟରେ ଘରେ ଓଡ଼ଶ ହୋଇଥିବାର ଦେଖିଥାଉ । ଓଡ଼ଶ ଏକ ଛୋଟ ପୋକ ହୋଇଥାଏ । ଯାହା ସାଧାରଣତଃ ଗଦି, ବେଡ୍ର ଫାଙ୍କ, ଚାଦର ଓ ସୋଫା ଭଳି ସ୍ଥାନରେ ଲୁଚି ରହିଥାଏ । ଏମାନେ ରାତିରେ ବାହାରକୁ ଆସି ମଣିଷଙ୍କୁ କାମୁଡ଼ିଥାଆନ୍ତି । ଫଳରେ ଶରୀରରେ କୁଣ୍ଡେଇ ହେବା ସହ ଲାଲ୍ ଦାଗ ମଧ୍ୟ ହୋଇଯାଏ । ଏହି ଓଡ଼ଶକୁ ଦୂର କରିବା ଖୁବ୍ କଷ୍ଟକର ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଚିନ୍ତାର ବିଷୟ ପାଲଟି ଯାଇଥାଏ । ହେଲେ କିଛି ଘରୋଇ ଉପାୟ ସାହାଯ୍ୟରେ ତାହା ଦୂର କରାଯାଇପାରିବ । ତେବେ ଆସନ୍ତୁ ସେହି ଘରୋଇ ଟିପ୍ସ ସମ୍ପର୍କରେ ଜାଣିବା ।

ବିଛଣାକୁ ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ନ ରଖିବା ଦ୍ବାରା ଓଡ଼ଶ ଜନ୍ମ ନେଇଥାଆନ୍ତି । ଗ୍ରହ ଖରାପ ଥିଲେ ମଧ୍ୟ ଓଡ଼ଶ ଜନ୍ମ ନେଇଥାଆନ୍ତି ବୋଲି ବିଶ୍ବାସ କରାଯାଏ । ସେମାନେ ପ୍ରାୟତଃ ରାତି ସମୟରେ କାମୁଡି ଦେଇଥାନ୍ତି । ଯାହା ଫଳରେ ଶରୀରରେ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହି ଓଡ଼ଶକୁ ଦୂର କରିବାକୁ ଅନେକ ପ୍ରକାରର ଚେଷ୍ଟା କରିଥାନ୍ତି । ଯଦି ଆପଣମାନେ ଏହି ଭଳି ସମସ୍ୟାରେ ରହିଛନ୍ତି ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଘରୋଇ ଉପଚାର ସମ୍ପର୍କରେ କହିବୁ । ଯାହାଦ୍ବାରା ଆପଣମାନେ ଏହି ସମସ୍ୟାରୁ ସବୁଦିନ ପାଇଁ ଛୁଟକାରା ପାଇପାରିବେ । ଓଡ଼ଶ ଦୂର କରିବା ପାଇଁ ହେଲେ ଆପଣଙ୍କ ଘର ଚାରିପାଖରେ ବେକିଂ ସୋଡା ଛିଞ୍ଚନ୍ତୁ । ଏଗୁଡିକୁ ପକାଇବା ଦ୍ବାରା ଓଡ଼ଶକୁ ମାରିଦେବାରେ ସାହାଯ୍ୟ କରିଥାଏ । ବେକିଂ ସୋଡା ପକାଇ ଏହାକୁ ପ୍ରାୟ ଗୋଟିଏ ସପ୍ତାହ ଛାଡି ଦିଅନ୍ତୁ । ଏହା ପରେ ବେକିଂ ସୋଡା ପକାଇଥିବା ସ୍ଥାନଗୁଡିକୁ ଭଲ ଭାବରେ ସଫା କରି ଦିଅନ୍ତୁ ।
ଏଥିସହ ନିମକୁ ବ୍ୟବହାର କରି ମଧ୍ୟ ଆପଣମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ନିମରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ଯାହା ବ୍ୟବହାର କରିବା ଦ୍ବାରା ଲୁଚି ରହିଥିବା ଓଡ଼ଶଙ୍କୁ ମାରି ଦେଇଥାଏ । ଓଡ଼ଶ ହୋଇଥିବା ସ୍ଥାନରେ ନିମ ପତ୍ରକୁ ରଖି ଦିଅନ୍ତୁ । ଏହାର ବାସ୍ନାରେ ଓଡ଼ଶ ଦୂର ହୋଇଯାଇଥାଏ । ଆପଣମାନେ ନିମ ତେଲ, ପାଣି ଏବଂ ଅଳ୍ପ କର୍ପୁର ପାଉଡର ମିଶାଇ ଆପଣଙ୍କ ବେଡ୍,ଗଦି ଏବଂ ସୋଫାରେ ପକାଇବା ପାଇଁ ଏକ ସ୍ପ୍ରେ ପ୍ରସ୍ତୁତ କରିପାରିବେ । ଭିନେଗାର ଏବଂ ବେକିଂ ସୋଡା ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଷ୍ଟୋର କରି ରଖନ୍ତୁ । ପ୍ରସ୍ତୁତ କରିଥିବା ଏହି ପ୍ୟାକକୁ ଓଡ଼ଶ ହୋଇଥିବା ସ୍ଥାନରେ ପକାନ୍ତୁ । ଯାହା ଏହି ସମସ୍ୟାରୁ ରକ୍ଷା କରିବ ।

ଏହା ବ୍ୟତୀତ ପୁଦିନାର ବାସ୍ନା ଓଡ଼ଶ ସହ୍ୟ କରିପାରନ୍ତି ନାହିଁ । ତେଣୁ କିଛି ପୁଦିନା ପତ୍ର ନେଇ ଓଡ଼ଶ ହୋଇଥିବା ସ୍ଥାନରେ ରଖି ଦିଅନ୍ତୁ । ୩ରୁ ୪ ଦିନ ପରେ ସେହି ସବୁ ପୁରୁଣା ପୁଦିନା ପତ୍ରକୁ ବାହାର କରି ନୂଆ ପତ୍ରକୁ ପୁଣି ଥରେ ରଖି ଦିଅନ୍ତୁ । ଥଣ୍ଡା ହେଉଥିବା ସ୍ଥାନରେ ଓଡ଼ଶ ଜନ୍ମ ନେଇଥାନ୍ତି । ସେମାନେ ଗରମକୁ ସହି ପାରନ୍ତି ନାହିଁ । ତେଣୁ ଗରମ ପାଣିରେ ଆପଣଙ୍କ ଚାଦର, ତକିଆ କଭର ଏବଂ ବେଡସିଟକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଖରାରେ ଶୁଖାଇ ଦିଅନ୍ତୁ । ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଗାଏବ କରିବ ।
