ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ଗିରଫ କରିଛି । ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେଇଥିବା ଅଭିଯୁକ୍ତ ଚାଳକକୁ ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଗୁରୁଗ୍ରାମକୁ ଆଣିବ । ଗୁରୁଗ୍ରାମକୁ ଆଣିବା ପରେ ପୋଲିସ ସଂପୂର୍ଣ୍ଣ ମାମଲାରେ ପଚରାଉଚରା କରିବ ।

ସୂଚନା ଅନୁସାରେ, ପୀଡିତା ସିଆ ଜଣେ ସ୍ପୋଟର୍ସ ବାଇକ ରାଇଡର । ରବିବାର ସକାଳେ ନିଜ ସାଙ୍ଗ ସହିତ ରାଇଡରରେ ଯାଇଥିଲେ । ଗଲ୍ଫ କୋର୍ସ ରୋଡରେ ଜଣେ କାର୍ ଚାଳକ ତାଙ୍କୁ ରହିବାକୁ ଇଙ୍ଗିତ କରିଥିଲେ । ସିଆ ସେମାନଙ୍କ ଉଦ୍ଦେଶ୍ୟ ଭଲ ନଥିବା ଜାଣିପାରି ହାତ ଠାରି କାର୍ କୁ ନିଜଠାରୁ ଦୂରତା ବଜାୟ ରଖିବାକୁ କହି ଆଗକୁ ବାହାରି ଯିବାକୁ ଚେଷ୍ଟା କରିଥିଲେ । ଦୂରତା ବଜାୟ ରଖିବାକୁ କହିବା ପରେ କାର୍ ଚାଳକ ଜଣକ ଉତ୍ତ୍ୟକ୍ତ ହୋଇ ଦ୍ରୁତଗତିରେ ଆଗକୁ ଆସିଥିଲା ଏବଂ ସିଆଙ୍କ ବାଇକ୍ କୁ ସାଇଡ୍ ରୁ ଜୋରଦାର ଧକ୍କା ମାରିଥିଲେ ।
ମହିଳା ବାଇକରକୁ ଧକ୍କା ଦେବା ପରେ ଅଭିଯୁକ୍ତ ଫେରାର ଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ତାକୁ ଧରିବା ପାଇଁ ଗୁରୁଗ୍ରାମ ପୋଲିସ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚଲାଇଥିବା ବେଳେ ଅଭିଯୁକ୍ତକୁ ରାଜସ୍ଥାନର ଦୌସାରୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ସହ ଅନ୍ୟାନ୍ୟ କଠୋର ଦଫାରେ ମାମଲା ରୁଜୁ ହୋଇଛି । ଘଟଣା ସ୍ଥଳରେ ଥିବା ଆଖପାଖ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ପୀଡ଼ିତା ସିଆ ଏବଂ ତାଙ୍କ ପରିବାର ଲୋକେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
