
ବାଲେଶ୍ୱର ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ପଶ୍ଚିମବଙ୍ଗରୁ ପରିବା ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଆଇଚର ଟ୍ରକ୍ । ଟ୍ରକଟି ଚଡ଼କମରା ପୋଲ ନିକଟରେ ଆଗରେ ଠିଆ ହୋଇଥିବା ଏକ ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା । ଧକ୍କା ପରେ ଅଜଣା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ଥାନା ଏସଆଇ ପ୍ରୀତିଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାଳକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ଟ୍ରକ୍ଟିକୁ ଜବତ କରି ମାମଲା ରୁଜୁ କରିଛି । ଅଜଣା ଗାଡ଼ି ଓ ମୃତ ଚାଳକଙ୍କ ପରିଚୟ ନେଇ ଅଧିକ ତଦନ୍ତ ଜାରି ରହିଛି।
