ଭୟଙ୍କର ରୂପ ନେବ ବାତ୍ୟା। ମାଡି ଆସିଲାଣି ଭୟଙ୍କର ବେଗରେ ପବନ । ସମୁଦ୍ର କୂଳିଆ ଲୋକଙ୍କୁ ସତର୍କ ରହିବାକୁ ସାବଧାନ । ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ବୁଧବାର ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ୪ଦିନ ଧରି ବ୍ୟାପକ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ସର୍ବାଧିକ ରହିବ। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ଅତିପ୍ରବଳ ବର୍ଷା ହୋଇପାରେ । ଆଜିଠୁ କାଲି ସକାଳ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଥିବା ସୂଚନା ମିଳିଛି ।

ସମୁଦ୍ର ହେଲାଣି ଅଶାନ୍ତ । ବଢ଼ିଲାଣି ପବନର ବେଗ । ଆଉ ବଙ୍ଗୋପସାଗରରେ ଘନୀଭୂତ ହେଉଛି ପାଣିପାଗର ଅବପାତ । ବର୍ତ୍ତମାନ ଡିପ୍ରେସନ୍ ଆହୁରି ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । IMD ପକ୍ଷରୁ ୨୩ ଓ ୨୪ ତାରିଖ ପାଇଁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନ ନେଇ ସତର୍କତା ଜାରି ହୋଇଛି।ସମୁଦ୍ର ମଧ୍ୟ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ବଢ଼ାଯାଇଛି । ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ସିଷ୍ଟମ୍ ଆସୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି ।
