୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଅସହ୍ୟ ଗରମରୁ ମିଳିବ ସାମୟିକ ଆଶ୍ୱସ୍ତି। ରାଜ୍ୟରେ ଆଜିଠାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଓ ଝଡ଼ପବନ ଆଶଙ୍କା ଦେଖାଦେଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗରେ ଏହି ପରିବର୍ତ୍ତନ ଯୋଗୁଁ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ପୂର୍ବ ଭାରତ ଉପରେ ଦୁଇଟି ନିମ୍ନଚାପ ରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଡ଼ପବନ ବହିବାର ଆଶଙ୍କା ରହିଛି। ଏଥିସହ ବଜ୍ରପାତର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ସମେତ ମୋଟ ୧୪ଟି ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପାଣିପାଗର ହଠାତ୍ ପରିବର୍ତ୍ତନ ହୋଇପାରେ। ତେଣୁ ଘଡ଼ଘଡ଼ି ଓ ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳ ଏବଂ ବିଦ୍ୟୁତ୍ ଖୁଣ୍ଟ ନିକଟରେ ଆଶ୍ରୟ ନ ନେବାକୁ ସତର୍କ ରହିବା ଆବଶ୍ୟକ।

ଗତ କିଛିଦିନ ଧରି ଅକ୍ଟୋବର ମାସରେ ମଧ୍ୟ ରାଜ୍ୟରେ ଅସ୍ୱାଭାବିକ ଗରମ ଅନୁଭୂତ ହେଉଥିଲା। ଏବେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ଦ୍ୱାରା ଲୋକଙ୍କୁ କିଛିଟା ଆରାମ ମିଳିପାରେ। ଏହା ସହ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ପାଣିପାଗ ଆକଳନ ଅନୁଯାୟୀ, ଆଜି ପରେ ଆକାଶ ଧୀରେ ଧୀରେ ନିର୍ମଳ ହେବା ସହ ପାଗରେ ସୁଧାର ଆସିପାରେ। ତେବେ ବର୍ଷା, ବଜ୍ରପାତ ଓ ଝଡ଼ପବନ ନେଇ ଜାରି ହୋଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *