ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ମୋଟ ୧୨ଟି ସ୍ଥାନରେ ଭୁବନେଶ୍ୱର ଜୋନାଲ ଅଫିସ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଅକ୍ଟୋବର ୯, ୧୦ ଓ ୧୨ ତାରିଖରେ ହୋଇଥିବା ଏହି ତଲାସିରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ ଉପକରଣ ଓ ଆର୍ଥିକ କାରବାର ସମ୍ପର୍କିତ ରେକର୍ଡ ଜବତ ହୋଇଛି। ଅର୍ଥ ହେରଫେର ନିବାରଣ ଆଇନ (PMLA) ଅଧୀନରେ ଏହି ଚଢ଼ାଉ କରାଯାଇଛି।

EDର ତଦନ୍ତ ପରିସରକୁ ଭୁବନେଶ୍ୱରର ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍, ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ଓ PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ସମେତ ଏହି ସଂସ୍ଥାଗୁଡ଼ିକର ନିର୍ଦ୍ଦେଶକ ଏବଂ ସହଯୋଗୀଙ୍କ ଠିକଣା ସାମିଲ ରହିଛି। ସୂଚନା ଅନୁଯାୟୀ, ୨୦୨୫ ସେପ୍ଟେମ୍ବର ୩୦ରେ ଇଚ୍ଛାପୁରମ୍ ନିକଟରେ ତିନୋଟି ବସ୍ରେ ଯାଉଥିବା ୧୧୪ ଜଣ SI ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକାଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ଆଗୁଆ ଯୋଗାଇଦେବା ପାଇଁ ପ୍ରାର୍ଥୀ ପିଛା ୧୫ରୁ ୩୦ ଲକ୍ଷ ଟଙ୍କା ଦାବି ହୋଇଥିବା ଅଭିଯୋଗ ରହିଛି। ପରେ ମାମଲାର ତଦନ୍ତ ଦାୟିତ୍ୱ CBIକୁ ହସ୍ତାନ୍ତର କରାଯାଇଥିଲା।
EDର ଅଭିଯୋଗ ଅନୁଯାୟୀ, ପରୀକ୍ଷା ପରିଚାଳନା ଦାୟିତ୍ୱ ପାଇଥିବା ITI ଲିମିଟେଡ୍ର ଅନୁମତି ବିନା ସିଲିକନ୍ ଟେକ୍ ଲ୍ୟାବ୍ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ପଞ୍ଚସଫ୍ଟକୁ ସମ୍ବେଦନଶୀଳ ତଥ୍ୟ ପରିଚାଳନା କାମ ଦେଇଥିଲେ। ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଚାଲିଛି। ଏହା ସହିତ ସିଲିକନ୍ ଟେକ୍ ଲ୍ୟାବ୍ର ମାଲିକାନା ପରିବର୍ତ୍ତନ ଓ ସନ୍ଦେହଜନକ ଆର୍ଥିକ କାରବାର ଉପରେ ED ତଦନ୍ତ କରୁଛି। ଜବତ ଦସ୍ତାବିଜ ଓ ଉପକରଣର ଯାଞ୍ଚ ଜାରି ରହିଛି।
