ପ୍ରସ୍ତାବିତ ‘ଲହରା ଦୋ ତିରଙ୍ଗା’ ଯାତ୍ରାକୁ ନେଇ ଦିଲ୍ଲୀରେ ଉତ୍ତେଜନା ଦେଖାଦେଇଛି। ସିଜେପି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ଖବର ମିଳିଛି। ତିରଙ୍ଗା ଯାତ୍ରାରେ ଯୋଗଦେବା ପାଇଁ ସେ ଘରୁ ବାହାରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇ ନେଇଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ, ଅଭିଜିତ ଦୀପକେ ଆଜି ସନ୍ଧ୍ୟା ୫ଟାରେ ଦିଲ୍ଲୀର କନଟ୍ ପ୍ଲେସ୍ ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ପୂର୍ବରୁ ଦିଲ୍ଲୀ ପୋଲିସ ଓ ସିଜେପି ମଧ୍ୟରେ ମତଭେଦ ଦେଖାଦେଇଥିଲା। ପୂର୍ବରୁ ପୋଲିସ ପକ୍ଷରୁ ଅଭିଜିତ ଦୀପକେଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଏକ ନୋଟିସ୍ ପ୍ରଦାନ କରାଯାଇଥିଲା । ନୋଟିସ୍ ଦେବା ସମୟରେ ପୋଲିସ ଓ ଦୀପକେଙ୍କ ମଧ୍ୟରେ ତୀବ୍ର କଥା କଟାକଟି ମଧ୍ୟ ହୋଇଥିଲା ।
ପୋଲିସର ନୋଟିସ୍ ଅନୁଯାୟୀ, କନଟ୍ ପ୍ଲେସ୍ ଅଞ୍ଚଳରେ BNSSର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ରହିଛି। ଏହା ସହିତ ପ୍ରସ୍ତାବିତ ତିରଙ୍ଗା ଯାତ୍ରା ପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍ ପକ୍ଷରୁ ଅନୁମତି ମିଳିନଥିବା ନୋଟିସ୍ରେ ଉଲ୍ଲେଖ ରହିଛି । ଏପରି ସ୍ଥିତିରେ କଟକଣା ଅମାନ୍ୟ କରି କନଟ୍ ପ୍ଲେସ୍ରେ ଯାତ୍ରା ଆୟୋଜନ କଲେ କିମ୍ବା ସେଥିରେ ଅଂଶଗ୍ରହଣ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ପୋଲିସ ଚେତାବନୀ ଦେଇଥିଲା।
ତେବେ ନୋଟିସ୍ ଜାରି ହେବା ପରେ ମଧ୍ୟ ଅଭିଜିତ ଦୀପକେ ତିରଙ୍ଗା ଯାତ୍ରାରେ ଯୋଗଦେବାକୁ ବାହାରିଥିବା ବେଳେ ତାଙ୍କୁ ପୋଲିସ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ପରେ ପ୍ରସ୍ତାବିତ ତିରଙ୍ଗା ଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଛି। ଅଭିଜିତ ଦୀପକେଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯାଇଛି ଏବଂ ପରବର୍ତ୍ତୀ ସମୟରେ ପୋଲିସ କ’ଣ ପଦକ୍ଷେପ ନେବ, ସେନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
