ନାଟକ “ସେଇ ଲୋକଟି” ମଞ୍ଚସ୍ଥ

 ଗ୍ରାମର କୁଖ୍ୟାତ ପ୍ରତିଭା ଙ୍କୁ ନେଇ ନାଟକ ପରିବେଷଣ

ଡିଜିଟାଲ୍ ଯୁଗରେ ବି ହଜିଯାଇନି ନାଟକର କ୍ରେଜ୍ । ଆଜି ବି ମଞ୍ଚ ଉପରେ ଜୀବନ୍ତ ହେଉଛି ସମାଜର ନଗ୍ନ ସତ୍ୟ। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଏକାଠି କରି ସମାଜକୁ ସକାରାତ୍ମକ ବାର୍ତ୍ତା ଦେବା ପାଇଁ ଆଗେଇ ଆସିଛି ଅନୁଷ୍ଠାନ ଟିମ୍ ଥିଏଟର। ବିଶିଷ୍ଟ ନାଟ୍ୟକାର ଡ଼. ସୁବୋଧ ପଟ୍ଟନାୟକଙ୍କ ରଚିତ ରାଜନୈତିକ ନାଟକ ‘ସେଇ ଲୋକଟି’ ମଞ୍ଚସ୍ଥ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। କାହିଁକି ଏହି ନାଟକ ଥିଲା ସ୍ୱତନ୍ତ୍ର ଏବଂ କିଭଳି ଥିଲା କଳାକାରଙ୍କ ପ୍ରଦର୍ଶନ, ଦେଖନ୍ତୁ ଏହି ରିପୋର୍ଟ…

ମଞ୍ଚରେ ଶାଣିତ ସଂଳାପ ଆଉ କଳାକାରଙ୍କ ଜୀବନ୍ତ ଅଭିନୟ। ସମାଜର ବାସ୍ତବତାକୁ ନାଟକ ମାଧ୍ୟମରେ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଛି ଟିମ୍ ଥିଏଟର। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ ସହ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ସମାଜସେବୀ ମାର୍କଣ୍ଡ ଚରଣ ବେହେରା, ସାମ୍ବାଦିକ ସୁକାନ୍ତ କୁମାର ଯେନା ଏବଂ ଶିକ୍ଷାବିତ୍ ସନାତନ ଦାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ।

  ରାଜନୈତିକ ପୃଷ୍ଠଭୂମି ଉପରେ ଆଧାରିତ ନାଟକ ‘ସେଇ ଲୋକଟି’ର ସବୁଠୁ ବଡ଼ ବିଶେଷତ୍ୱ ଥିଲା ଏହାର ପରିବେଷଣ ଶୈଳୀ। ଏହି ନାଟକରେ କୌଣସି ନାରୀ ଚରିତ୍ର ନଥିଲେ ମଧ୍ୟ କଳାକାରମାନଙ୍କ ଅଭିନୟ ଦର୍ଶକଙ୍କୁ ପ୍ରାୟ ଏକ ଘଣ୍ଟା ଧରି ବାନ୍ଧି ରଖିଥିଲା। ନିର୍ଦ୍ଦେଶକ ତାପସ ସ୍ୱାଇଁଙ୍କ ସୁଚିନ୍ତିତ ନିର୍ଦ୍ଦେଶନାରେ ଗ୍ରାମାଞ୍ଚଳର କଳାକାରମାନେ ସମାଜର କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ।

ଟିମ୍ ଥିଏଟରର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର କଳାପ୍ରେମୀମାନେ ବେଶ୍ ପ୍ରଶଂସା କରିଛନ୍ତି । ଅଶ୍ଳୀଳତାମୁକ୍ତ ଏବଂ ଶିକ୍ଷଣୀୟ ନାଟକ ପରିବେଷଣ କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବା ପାଇଁ ଅନୁଷ୍ଠାନର ଏହି ଅଭିଯାନ ଆଗାମୀ ଦିନରେ ବ୍ଲକ ଓ ଜିଲ୍ଲା ସ୍ତରରେ ମଧ୍ୟ ଜାରି ରହିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *