ବାବା ସିନ୍ଧୁକେଶ୍ୱର ଶୈବପୀଠ ର ଉନ୍ନତିକରଣ ନେଇ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପ୍ରସିଦ୍ଧ ବାବା ସିନ୍ଧୁକେଶ୍ୱର ଶୈବପୀଠରେ ଜିଲ୍ଲାପାଳଙ୍କ ପରିଦର୍ଶନ । ମନ୍ଦିରର ସାମଗ୍ରିକ ଉନ୍ନତିକରଣ ଏବଂ ବିକାଶ ସମ୍ପର୍କରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ଏକ ଉଚ୍ଚସ୍ତରୀୟ ଆଲୋଚନା । ବହୁ ପୁରାତନ ବାବା ସିନ୍ଧୁକେଶ୍ୱର ଶୈବପୀଠକୁ ରାଜ୍ୟ ସଂରକ୍ଷିତ ସ୍ମାରକୀ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିବାକୁ ସାଧାରଣ ଲୋକ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସଂସ୍କୃତି ବିଭାଗ ନିକଟରେ ଦାବି କରାଯାଇଛି । ମନ୍ଦିର ପରିସରରେ ପ୍ରଚୁର ଜମି ଥିବାରୁ, ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପାଇଁ ଏକ ସ୍ପେଶାଲ୍ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଲିଖିତ ପ୍ରସ୍ତାବ ଦିଆଯାଇଛି । ଅପରପକ୍ଷରେ ମେନେଜିଂ ଟ୍ରଷ୍ଟିଙ୍କ ନାମରେ ପ୍ରାୟ ୩୫ ଏକରରୁ ଅଧିକ ଜମି ରହିଥିବା ବେଳେ ଏହି ଜମିଗୁଡ଼ିକୁ କେଉଁମାନେ ବେଆଇନ ଭାବେ ନିଜ ଦଖଲରେ ରଖିଛନ୍ତି, ତାହା ଚିହ୍ନଟ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରଶାସନ ନିକଟରେ ଲିଖିତ ଦାବି ହୋଇଛି । ସେହିପରି ବାବା ସିନ୍ଧୁକେଶ୍ୱର ମନ୍ଦିରରେ ଥିବା ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ମାଉସୀ ମା ମନ୍ଦିର ରାସ୍ତାରେ ସୃଷ୍ଟି ହେଉଥିବା ଅବରୋଧକୁ ଗମ୍ଭୀରତାର ସହ ନେଇଛନ୍ତି ଜିଲ୍ଲାପାଳ । ଏହି ରାସ୍ତାକୁ ତୁରନ୍ତ ପ୍ରଶସ୍ତ କରିବା ପାଇଁ ବନ୍ତ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ଦିରର ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବା ପୂର୍ବରୁ ସ୍ଥାନୀୟ ଆଞ୍ଚଳିକ ଲୋକଙ୍କ ମତାମତ ନେବା ସହ ମେନେଜୀଙ୍ଗ ଟ୍ରଷ୍ଟିକୁ ଅବଗତ କରାଇବା ପାଇଁ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିବେଦନ କରାଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଦିଲୀପ ରାଉତରାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ବନ୍ତ ବିଡ଼ିଓ ସୀତାକାନ୍ତ ରାଉତ, ବ୍ଲକ୍ ଅଧକ୍ଷ ମନୋରଂଜନ ଘଡେ଼ଇ, ବନ୍ତ ତହସିଲଦାର ସାରା ହେମ୍ରମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ପଦ୍ମନାଭ ପାଣିଗ୍ରାହୀ, ବୋର୍ଡ ମେମ୍ବର ଆଗରପଡ଼ା ଥାନା ଅଧିକାରୀ ରାଜେଶ କୁମାର ସେଠୀ ଏବଂ ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *