“ବାଲ୍ୟ ବିବାହ ବିରୋଧରେ ପୋଲିସର ପ୍ରୟାସ:
ବସଷ୍ଟାଣ୍ଡରେ ଦେଶିଆ ନାଟକରେ ସଚେତନତା”
କୋରାପୁଟ ରେ ବାଲ୍ୟ ବିବାହ ରୋକିବା ପାଇଁ ଅଭିନବ ପଦକ୍ଷେପ। ବସଷ୍ଟାଣ୍ଡ ଭଳି ଭିଡ଼ ଅଞ୍ଚଳରେ ଦେଶିଆ ନାଟକ ମାଧ୍ୟମରେ ସଚେତନ କଲା ପୋଲିସ।
କୋରାପୁଟ ବସଷ୍ଟାଣ୍ଡ ରେ ସବୁବେଳେ ଲୋକମାନଙ୍କ ଭିଡ଼ ଲାଗି ରହୁଥାଏ। ଏହି ସୁଯୋଗକୁ ନେଇ କୋରାପୁଟ ଟାଉନ ଥାନା ପକ୍ଷରୁ ବାଲ୍ୟ ବିବାହ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶିଆ ଓ କୋରାପୁଟିଆ ଭାଷାରେ ପ୍ରସ୍ତୁତ ନାଟକ ମାଧ୍ୟମରେ ସମାଜକୁ ଜାଗୃତ କରାଯାଇଥିଲା।
ଯୁଗ ବଦଳିବା ସହିତ ଆମ ଚିନ୍ତାଧାରା ମଧ୍ୟ ବଦଳିବା ଆବଶ୍ୟକ ବୋଲି ନାଟକରେ ବାର୍ତ୍ତା ଦିଆଯାଇଥିଲା। ଜିଲ୍ଲାରେ ବାରମ୍ବାର ବାଲ୍ୟ ବିବାହ ଘଟୁଥିବା ଦୃଶ୍ୟ ପ୍ରକାଶ ପାଉଥିବାରୁ, ଏହାକୁ ରୋକିବା ପାଇଁ ସରକାର ଓ ପୋଲିସ ପକ୍ଷରୁ ନିରନ୍ତର ପ୍ରୟାସ ଚାଲିଛି। ଏହି ନାଟକରେ ଛୋଟ ବୟସରେ ବିବାହ କଲେ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଓ ପାରିବାରିକ ସମସ୍ୟା କେମିତି ସୃଷ୍ଟି ହୁଏ, ସେଥିପାଇଁ ସ୍ପଷ୍ଟ ଭାବେ ଦେଖାଯାଇଥିଲା।
ବିଶେଷ କରି ଯୁବପିଢ଼ିଙ୍କୁ ଲକ୍ଷ୍ୟ କରି, ଅପ୍ରାପ୍ତ ବୟସରେ ପ୍ରେମ ଓ ବିବାହର ପରିଣାମ ନେଇ ସଚେତନ କରାଯାଇଥିଲା। ଆଇନ ଅନୁସାରେ ନିର୍ଦ୍ଧାରିତ ବୟସରେ ବିବାହ କରିବା ଏବଂ ଶିକ୍ଷାକୁ ପ୍ରାଥମ୍ୟ ଦେବାକୁ ନାଟକ ମାଧ୍ୟମରେ ସଚେତନ ଦିଆଯାଇଥିଲା।
କୋରାପୁଟ ଟାଉନ ଥାନା ଅଧିକାରୀ ସତ୍ୟନନ୍ଦ ପାତ୍ର କହିଛନ୍ତି, ଆଞ୍ଚଳିକ ଭାଷାରେ ଏଭଳି କାର୍ଯ୍ୟକ୍ରମ କଲେ ଲୋକମାନେ ସହଜରେ ବୁଝିପାରିବେ ଓ ସଚେତନ ହେବେ।
ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ। ଏଭଳି ସଚେତନତା ଅଭିଯାନ ଦ୍ୱାରା ସମାଜରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
