୨୪ ଘଣ୍ଟାରେ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି, ସର୍ବୋଚ୍ଚ ଯନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା

ଲଗାତାର ତିନି ଦିନ ଧରି ରାଜ୍ୟରେ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ଏନେଇ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ବନ୍ୟା ପରିସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।

ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ତେବେ ବନ୍ୟାର ପ୍ରଭାବ ଯାଜପୁରର ଉପରମୁଣ୍ଡ ଅଞ୍ଚଳରେ ସେତେଟା ପଡ଼ିବ ନାହିଁ, କିନ୍ତୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇ ପ୍ରଭାବିତ ହୋଇପାରନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆକଳନ ଅନୁସାରେ, ବନ୍ୟା ସୃଷ୍ଟି ହେଲେ ମଧ୍ୟ ଦୁଇ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ।

ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଟପିପାରେ । ଅନ୍ୟପକ୍ଷରେ ଖଇରମାଳରୁ ବରଗଡ଼ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତଥାପି ବର୍ତ୍ତମାନ ସୁଦ୍ଧା ବଡ଼ ଧରଣର ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧିକାଂଶ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ସ୍ଥାନ ଖାଲି ଥିବାରୁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନଥିବା ବେଳେ ଜଳସମ୍ପଦ ବିଭାଗ ସମଗ୍ର ପରିସ୍ଥିତି ଉପରେ କଡ଼ା ନଜର ରଖିଛି।

Leave a Reply

Your email address will not be published. Required fields are marked *