ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ୫୪ କୋଟିରୁ ଅଧିକ ଟଙ୍କାର ରାସ୍ତା ପ୍ରକଳ୍ପ ଶିଳାନ୍ୟାସ

ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକରେ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ। ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ୫୪ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ରାଜ୍ୟ ଯୋଜନାରେ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ଯାତାୟାତ, ବ୍ୟବସାୟ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ।

 ଲଇକେରା ବ୍ଲକର ବିଭିନ୍ନ ଅଞ୍ଚଳରେ ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ବିଧାୟକ ଟଙ୍କଧର ତ୍ରିପାଠୀ ବହୁ ପ୍ରମୁଖ ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପ୍ରକଳ୍ପ ଅନୁଯାୟୀ, ତିଳେଇମାଲରୁ ପାକେଲପଡ଼ା ପର୍ଯ୍ୟନ୍ତ ୪.୩ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପ୍ରାୟ ୯.୯୬ କୋଟି ଟଙ୍କା ବ୍ୟୟ ହେବ। ଗମ୍ଭାରୀଗୁଡ଼ାରୁ ସାନ୍ଧୁରଜାମ ରାସ୍ତା ପାଇଁ ୮.୫୩ କୋଟି ଟଙ୍କା, ହୁଡୁକୁଡିହିରୁ ନାଏକକର୍ଲା ରାସ୍ତା ପାଇଁ ୭.୩୬ କୋଟି ଟଙ୍କା ଏବଂ ନନ୍ଦମୁଣ୍ଡାରୁ ତିଳେଇମାଲ ରାସ୍ତା ପାଇଁ ୧୩.୯୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ସେହିପରି ପାକଲପଡ଼ାରୁ ଖଉର ଖେମନ ପର୍ଯ୍ୟନ୍ତ ୮ କିଲୋମିଟର ରାସ୍ତାର ସମ୍ପ୍ରସାରଣ ଓ ବିକାଶ ପାଇଁ ସର୍ବାଧିକ ୧୪.୯୩ କୋଟି ଟଙ୍କା ବ୍ୟୟ ହେବ।

ଏହି ଅବସରରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ, ଆସିଷ୍ଟାଣ୍ଟ ଇଞ୍ଜିନିଅର ବନମାଳୀ ନାଏକ ଓ ବିଭିନ୍ନ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ।

 ୫୪ କୋଟିରୁ ଅଧିକ ଟଙ୍କାର ଏହି ସଡ଼କ ପ୍ରକଳ୍ପ ଲଇକେରା ବ୍ଲକର ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ବୃଦ୍ଧି ସହ ଆର୍ଥିକ ବିକାଶକୁ ନୂଆ ଦିଗ ଦେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *