ଶୁଭାରମ୍ଭ ହେଲା ପୁରୀ- କୋରାପୁଟ ଏକ୍ସପ୍ରେସ ଟ୍ରେନ, ଯାତ୍ରୀ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ

ରାଜ୍ୟରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଯାତ୍ରୀ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଶି ନୂତନ ରେଳ ସେବାର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି । ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ସ୍ପେଶାଲ” ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ସ୍ପେଶାଲ” ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପୁରୀ–କୋରାପୁଟ ସ୍ପେଶାଲ ଟ୍ରେନ୍‌ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସିଧାସଳଖ ରେଳ ସଂଯୋଗ ସ୍ଥାପନ କରିବ। ଏହା ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଓ ଦାମନଯୋଡ଼ି ଦେଇ ଚଳାଚଳ କରିବ। ଟ୍ରେନ୍‌ଟି ପୁରୀରୁ ସୋମବାର, ଗୁରୁବାର ଓ ଶନିବାର, ଏବଂ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚାଲିବ। ଏହା ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଛାତ୍ରଛାତ୍ରୀ, ରୋଗୀ ଓ ବ୍ୟବସାୟୀଙ୍କ ପାଇଁ ବିଶେଷ ସହାୟକ ହେବ।

ଅନ୍ୟପକ୍ଷରେ, ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ, ଯାହା ଏପର୍ଯ୍ୟନ୍ତ ସପ୍ତାହରେ ତିନି ଦିନ ଚଳାଚଳ କରୁଥିଲା, ଏବେଠାରୁ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ୍‌ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ ଗୁଜରାଟକୁ ସଂଯୋଗ କରୁଥିବାରୁ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଅନ୍ୟ ଯାତ୍ରୀମାନଙ୍କ ପାଇଁ ଯାତାୟାତ ଅଧିକ ସହଜ ହେବ। ଏହି ଦୁଇ ନୂତନ ରେଳ ସେବା ପର୍ଯ୍ୟଟନ, ବାଣିଜ୍ୟ, ଯୋଗାଯୋଗ ଓ ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ବିକାଶକୁ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *