ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ପୁଣି ଆରମ୍ଭ

ଦୁଇଦିନର ବିରତି ପରେ ଆଜିଠାରୁ ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରିଥିଲେ ଟିମ୍।

ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ରତ୍ନଭଣ୍ଡାରେ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପରେ ରତ୍ନଭଣ୍ଡାର ଟିମ୍ ର ସଦସ୍ୟ ମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ସାଷ୍ଟାଂଗ ପ୍ରଣିପାତ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଟିମ୍ ର ସଦସ୍ୟ। ମହାପ୍ରଭୁଙ୍କ ସକାଳ ଧୂପ ନୀତି ପରେ ରତ୍ନଭଣ୍ଡାର ଟିମ୍ ର ସଦସ୍ୟ ମାନେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ଗଣତି ମଣତି ଟିମ୍ ରେ ଶ୍ରୀମନ୍ଦିର ବଣିଆ ସେବକ, ଆରବିଆଇ ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ ସାମିଲ ଅଛନ୍ତି।

ଏଥିସହିତ ଭିଡ଼ିଓ ଗ୍ରାଫର ଓ ଫୋଟୋ ଗ୍ରାଫର ସାମିଲ ଅଛନ୍ତି। ଏସଓପି ଅନୁଯାୟୀ ସମସ୍ତ ରତ୍ନ ଅଳଙ୍କାର ର ଭିଡ଼ିଓ ଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ କରାଯିବ। ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲକ କରାଯିବ। ଯାହାଦ୍ୱାରା ଆଗାମୀ ଭବିଷ୍ୟତରେ ଯେବେ ଗଣତି ମଣତି ହେବ ଏହି ତଥ୍ୟ ଅନେକ ସହାୟତା କରିବ। ପ୍ରଥମେ ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ହୋଇଥିଲା। ପରେ ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବାହାର ରତ୍ନ ଭଣ୍ଡାରର ଗଣତି ମଣତି କାର୍ଯ୍ୟ ହୋଇଥିଲା। ସେହିପରି ଗତ ୧୩ ତାରିଖରୁ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୪ ତାରିଖରେ ପଣା ସଂକ୍ରାନ୍ତି ଏବଂ ୧୫ ରେ ବନକଲାଗି ନୀତି ଯୋଗୁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିଲା। ତେବେ ଆଜି ଗଣତି ମଣତି କାର୍ଯ୍ୟ ପୂର୍ବରୁ ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ଗଣତି ମଣତି କାର୍ଯ୍ୟର ସପ୍ତମ ଦିବସ।

ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟର ଆଜି ଦ୍ୱିତୀୟ ଦିବସ। ଏଣୁ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି। ଆସନ୍ତା ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ର ସମ୍ପୂର୍ଣ ଗଣତି ମଣତି କାର୍ଯ୍ୟ ଶେଷ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *