କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ, ୨ ଜଣ DSP ଗୁରୁତର

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ଦୁର୍ଘଟଣା । ଭଦ୍ରକରୁ ଡ୍ୟୁଟି ସାରି ବାରିପଦା ‌ଫେରୁଥିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣାର ସାମ୍ନା କରିଛି। ଦୁର୍ଘଟଣାରେ ୨ DSP ଏବଂ ଗାଡ଼ି ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିମାନେ ହେଲେ ବାରିପଦା ଏଚଆରପିଏସ ଡ଼ିଏସପି ପାସ୍କେଲ ଏକ୍କା, କ୍ରାଇମ ଡ଼ିଏସପି ନିରୁପମା ମଲ୍ଲିକ ଓ ଚାଳକ ବାଦଲ ପ୍ରଧାନ।

ସୂଚନା ଅନୁଯାୟୀ ମୟୂରଭଞ୍ଜ ବାରିପଦାରେ କାର୍ଯ୍ୟରତ ଏଚଆରପିଏସ ଡ଼ିଏସପି ପାସ୍କେଲ ଏକ୍କା ଓ କ୍ରାଇମ ଡ଼ିଏସପି ନିରୁପମା ମଲ୍ଲିକ ଭଦ୍ରକରେ ମହରମ ଡ୍ୟୁଟି ସାରି ଆଜି ବାରିପଦା ଫେରୁଥିଲେ। ଅପରାହ୍ନରେ ତାଙ୍କର ଭ୍ୟାନ୍‌ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି l କୌଣସି କାରଣ ବଶତଃ ଭ୍ୟାନଟି ଏକ କଣ୍ଟେନରକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା l ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସ୍ଥାନୀୟ ଲୋକ ୨ଡ଼ିଏସପିଙ୍କ ସମେତ ଚାଳକ ବାଦଲ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି ।

ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ତେବେ ଚାଳକ ବାଦଲଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବା ସୂଚନା ମିଳିଛି l ବାରିପଦାରୁ ଅତିରିକ୍ତ ଏସପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ରେମୁଣା ମେଡିକାଲ କଲେଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *