ମାସିକ ଲକ୍ଷାଧିକ ଟଙ୍କା ର ଚାକିରୀ ଛାଡି-ଚାଷ କୁ ଆପଣାଇଛନ୍ତି ଯୁବ ଇଞ୍ଜିନିୟର

  ମାସିକ ଲକ୍ଷାଧିକ ଟଙ୍କାର ସଫ୍ଟୱେର ଚାକିରୀ… ସୁବିଧାଜନକ ଜୀବନ… ତଥାପି ମନ ରହିଲା ନାହିଁ।

ନିଜ ମାଟି ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଆଣିଲା ଚାଷକ୍ଷେତ୍ରକୁ। ବି.ଟେକ ଇଞ୍ଜିନିୟର ବିକ୍ରମଦେବ ମହାପାତ୍ର… ଆଜି ସଫଳ କୃଷି ଉଦ୍ୟୋଗୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ବଟନ ଛତୁ ୟୁନିଟ ସ୍ଥାପନ କରି ସେ ନିଜେ ଆତ୍ମନିର୍ଭର ହେବା ସହ ୨୪ ଜଣଙ୍କୁ ଦେଉଛନ୍ତି ରୋଜଗାର ।

   ବିକ୍ରମଦେବ ମହାପାତ୍ର… ଜଣେ ବି.ଟେକ ଇଞ୍ଜିନିୟର। ୧୪ ବର୍ଷ ଧରି ଦେଶ ଓ ବିଦେଶର ବିଭିନ୍ନ ସଫ୍ଟୱେର କମ୍ପାନୀରେ କାମ କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ କୋଭିଡ ସମୟରେ ଘରେ ରହି କାମ କରିବା ସମୟରେ ତାଙ୍କ ମନରେ ଜନ୍ମ ନେଲା ନୂତନ ସ୍ୱପ୍ନ…

ନିଜ ମାଟିରେ କିଛି କରିବା… ଓ ଅନ୍ୟମାନଙ୍କୁ ରୋଜଗାର ଦେବା। ଏହି ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଲା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଦୁଇ କୋଟି ଟଙ୍କା ବ୍ୟାଙ୍କ ଋଣ ଓ ନିଜର ଏକ କୋଟି ନିବେଶରେ ସେ ସ୍ଥାପନ କଲେ ବଟନ ଛତୁ ୟୁନିଟ। ଏହି ପ୍ରକଳ୍ପ ପାଇଁ ସରକାର ପକ୍ଷରୁ ୪୦% ସବସିଡି ଭାବେ ୯୭ ଲକ୍ଷ ଟଙ୍କା ମିଳିଛି। ଅଗ୍ନିପୁର ଅଞ୍ଚଳରେ ସ୍ଥାପିତ ଏହି ୟୁନିଟରେ ଗହମ ନଡ଼ାକୁ ପ୍ରସ୍ତୁତ କରି ବୈଜ୍ଞାନିକ ପ୍ରଣାଳୀରେ ଛତୁ ଚାଷ କରାଯାଉଛି। ତାପମାତ୍ରା ନିୟନ୍ତ୍ରଣ ସହ ବହୁ ପଦକ୍ଷେପ ପରେ ୭୦-୮୦ ଦିନ ମଧ୍ୟରେ ଉତ୍ପାଦନ ଆରମ୍ଭ ହୁଏ। ଏହି ୟୁନିଟରେ ୬ଟି ଚେମ୍ବର ରହିଥିବା ବେଳେ ପ୍ରତିମାସ ୧୫ ଟନ ଛତୁ ଉତ୍ପାଦନ ହେଉଛି।

ଉତ୍ପାଦିତ ଛତୁକୁ ସ୍ଥାନୀୟ ବଜାରରେ କେଜି ପିଛା ୧୧୦ ରୁ ୨୦୦ ଟଙ୍କା ଦରରେ ବିକ୍ରି କରାଯାଉଛି। ପ୍ରତିଦିନ ପ୍ରାୟ ୫୦୦ କେଜି ଛତୁ ବାହାରୁଥିବା ବେଳେ ଏହାକୁ ଜିଲ୍ଲା ବାହାରକୁ ମଧ୍ୟ ପଠାଯାଉଛି। ଏହି ୟୁନିଟରେ ୧୮ ଜଣ ମହିଳା ଓ ୬ ଜଣ ପୁରୁଷ ମିଶି ମୋଟ ୨୪ ଜଣଙ୍କୁ ମିଳିଛି ରୋଜଗାର। ନିଜ ଗାଁ ପାଖରେ କାମ ଓ ଭଲ ଆୟ ପାଇ ଖୁସି ଶ୍ରମିକମାନେ। ପୂର୍ବରୁ ବାହାର ଜିଲ୍ଲା ଓ ରାଜ୍ୟ ଉପରେ ନିର୍ଭର କରୁଥିବା ନବରଙ୍ଗପୁର…ଏବେ ନିଜେ ଛତୁ ରପ୍ତାନି କରି ଲକ୍ଷାଧିକ ଟଙ୍କା ଆୟ କରିବା ସହିତ ସୃଷ୍ଟି କରିଛି ନୂତନ ପରିଚୟ।

Leave a Reply

Your email address will not be published. Required fields are marked *