ଗୋଟେ ପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ସାରା ଦେଶ ଏବେ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଓଡିଶାର କିଛି ସହରରେ ବାୟୁ ଗୁଣମାନ ଚିନ୍ତା ଜନକ ସ୍ଥିତିରେ ପହଞ୍ଚିଛି । ଏକ ରିପୋର୍ଟ ଅନୁଯାୟୀ ରାଜ୍ୟର କିଛି ଅଞ୍ଚଳରେ ଏକ୍ୟୁଆଇ ସ୍ତର ସାଧାରଣ ଠାରୁ ଅଧିକ ରହୁଥିବା ଦେଖାଦେଇଛି । ରିପୋର୍ଟ ଅନୁସାରେ ଶିଳ୍ପ ଅଞ୍ଚଳ ବଢୁଥିବା ଯାନବାହାନ ସଂଖ୍ୟା, ନିର୍ମାଣ କାର୍ଯ୍ୟ ଓ ଧୂଳିକଣା ହେତୁ ବାୟୁ ପ୍ରଦୂଷଣ ସ୍ତର କିଛି ସହରରେ ପ୍ରଭାବ ପକାଇଛି । ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ବାୟୁର ଗୁଣମାନ କମିବା ନେଇ ସୂଚନା ମିଳିଛି । ତେବେ ୨୫ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ବାୟୁ ମାନଙ୍କ ସୂଚାଙ୍କ ରିପୋର୍ଟ ଅନୂଯାୟୀ ଦେଶର ୫ଟି ବଡ ସହର ମଧ୍ୟରେ ଓଡିଶାର ୩ଟି ସହର ସ୍ଥାନ ପାଇଛି । ତେବେ ଆଶର୍ଯ୍ୟର କଥା ହେଇଛି ଯେ ଏହି ସହର ମାନଙ୍କ ମଧ୍ୟରେ ବାଲେଶ୍ୱର ସବୁଠୁ ପ୍ରଦୂଷିତ ସହର ବୋଲି ବିବେଚନା କରାଯାଇଛି । ତେବେ ବାଲେଶ୍ୱରରେ ଏକ୍ୟୁଆଇ ମାତ୍ରା ରହିଛି ୩୩୬ ଏବଂ ଦ୍ୱିତୀୟରେ ଶିଳ୍ପ ସହର ତାଳଚେରର ଏକ୍ୟୁଆଇ ମାତ୍ରା ରହିଛି ୩୨୪, ବାରିପଦା ୩୦୪ ଏକ୍ୟୁଆଇ ସହର ପଞ୍ଚମ ସ୍ଥାନରେ ରହିଛି । ଏହି ସ୍ଥାନ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା ବଢିବା ଚିନ୍ତାର ବିଷୟ ପାଲଟିଛି ଯାହା ଜନ ସାଧାରଣଙ୍କ ସ୍ୱାସ୍ଥ ପାଇଁ ବିପଦ ସୃଷ୍ଟି ହୋଇପାରେ । ଅନ୍ୟପଟେ ଚର୍ଚ୍ଚାରେ ରହୁଥିବା ଦିଲ୍ଲୀ ସହରର ଏକ୍ୟୁଆଇ ମାତ୍ରା ୨୧୮ ରହିଛି ଅର୍ଥାତ ଦିଲ୍ଲୀ ତୁଳନାରେ ଓଡିଶାର ସହର ଗୁଡିକର ବାୟୁ ଅଧିକ ବିଷାକ୍ତ ହୋଇପଡିଛି । ତେବେ ଏହି ପ୍ରସଙ୍ଗ ଏବେ ଚିନ୍ତାର ବିଷୟ ପାଲଟିଛି ଯାହାକୁ ଯଦି ଏବେ ଠାରୁ ନିୟନ୍ତ୍ରଣ ନକରାଯାଏ ତେବେ ଆଗମୀ ଦିନରେ ସ୍ଥିତି ଅଧିକ ଭୟଙ୍କର ହୋଇପାରେ ।
ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶା
