ସମ୍ବଲପୁରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଦେଶର ବିକାଶ ପ୍ରକ୍ରିୟାରେ ମହିଳାମାନଙ୍କ ସମାନ ଭାଗିଦାରୀ ଓ ପ୍ରତିନିଧିତ୍ୱ ଅପରିହାର୍ଯ୍ୟ ବୋଲି ସମ୍ବଲପୁର ଗସ୍ତ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସଂସଦରେ ବର୍ତ୍ତମାନ ମହିଳା ସାଂସଦଙ୍କ ସଂଖ୍ୟା ମାତ୍ର 13.6% ଥିବାବେଳେ ବିଭିନ୍ନ ବିଧାନସଭାରେ ଏହା ପ୍ରାୟ 10% ରହିଛି, ଯାହା ବିଶ୍ୱସ୍ତରୀୟ ହାର (27.5%) ତୁଳନାରେ ଯଥେଷ୍ଟ କମ୍। ରୁୱାଣ୍ଡା, ସ୍ୱିଡେନ ଓ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶର ଉଦାହରଣ ଦେଇ ସେ ଭାରତରେ ମହିଳାମାନଙ୍କୁ ଆଗକୁ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହେବା ଏକ ଐତିହାସିକ ପଦକ୍ଷେପ ବୋଲି ସେ ଅଭିହିତ କରିଛନ୍ତି। ଏହି ଆଇନ ବଳରେ ମହିଳାମାନଙ୍କ ପାଇଁ 33% ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଜନଗଣନା ଓ ସୀମା ନିର୍ଦ୍ଧାରଣ (De-limitation) ପ୍ରକ୍ରିୟା ଅତ୍ୟନ୍ତ ଜରୁରୀ। କେତେକ ରାଜନୈତିକ ଦଳ ମହିଳା ବିରୋଧୀ ମନୋଭାବ ପୋଷଣ କରୁଥିବା ନେଇ ସେ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ମହିଳାମାନେ ସେମାନଙ୍କ ଅଧିକାର ପାଇଁ ଏହି ସଂଗ୍ରାମ ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା ଏବଂ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତୀୟ ଜନତା ପାର୍ଟି ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଓ ପ୍ରତିନିଧିତ୍ୱ ଦେବା ପାଇଁ ସର୍ବଦା ଚେଷ୍ଟା କରୁଛି ବୋଲି ସେ ମତ ଦେଇଛନ୍ତି।
