ଓଡ଼ିଶାରୁ ଇନ୍ଦିରା ଗାନ୍ଧି ନ୍ୟାସନାଲ ଓଲ୍ଡ ଏଜ୍ ପେନସନ ସ୍କିମ୍ରେ ୧୪,୨୧,୧୬୦ ହିତାଧିକାରୀ ରହିଛନ୍ତି । ୬୦ ବର୍ଷରୁ ଉର୍ଦ୍ଧ୍ୱ ୧ ହଜାର ଟଙ୍କା ଏବଂ ୮୦ରୁ ଉର୍ଦ୍ଧ୍ୱ ଲୋକ ୧୨୦୦ ଟଙ୍କା ଭତ୍ତା ପାଉଛନ୍ତି । ସେଥିମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୯୫,୭୭୨ ଜଣ ହିତାଧିକାରୀ ରହିଛନ୍ତି । ଏହା ସହ କଟକରେ ୭୭,୦୭୯, ମୟୂରଭଞ୍ଜରେ ୭୦,୭୧୨ ଜଣ, କଳାହାଣ୍ଡିରୁ ୫୪,୩୦୯ ଜଣ, ବାଲେଶ୍ୱରରୁ ୭୪,୫୪୭ ହିତାଧିକାରୀ ରହିଛନ୍ତି । ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୩,୯୮୫ ଜଣ ହିତାଧିକାରୀ ରହିଛନ୍ତି । ଓଡ଼ିଶାରୁ ୫,୨୫,୦୪୫ ଜଣ ଇନ୍ଦିରା ଗାନ୍ଧି ନ୍ୟାସନାଲ ୱିଡୋ ପେନସନ ସ୍କିମ୍ ବା ବିଧବା ଭତ୍ତା ପାଉଛନ୍ତି । ଏଥିରେ ମଧ୍ୟ ଗଞ୍ଜାମ ଆଗରେ ରହିଛି । ଏଠାରେ ମୋଟ ୪୭,୬୩୯ ଜଣ ହିତାଧିକାରୀ ରହିଥିବା ବେଳେ ମୟୂରଭଞ୍ଜରେ ୪୩,୬୯୪, କଟକରେ ୨୫,୦୦୪, ବାଲେଶ୍ୱରରେ ୨୩,୨୧୩, ରାୟଗଡ଼ାରେ ୨୩,୮୭୯ ଓ ବୌଦ୍ଧରେ ସର୍ବନିମ୍ନ ୫,୪୨୨ ହିତାଧିକାରୀ ରହିଛନ୍ତି । ଓଡ଼ିଶାରୁ ଇନ୍ଦିରା ଗାନ୍ଧି ନ୍ୟାସନାଲ ଡିଜାବିଲିଟି ବା ଦିବ୍ୟାଙ୍ଗ ଭତ୍ତା ୯୦,୨୮୩ ଲୋକ ପାଉଛନ୍ତି ।
ଏହା ଛଡ଼ା ନ୍ୟାସ୍ନାଲ ଫ୍ୟାମିଲି ବେନିଫିଟି ସ୍କିମ୍ ଜରିଆରେ ୨୪,୬୯୭ ଲୋକେ ଉପକୃତ ହେଉଛନ୍ତି । ଏହି ସବୁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥାଏ । ହେଲେ ଗତ ୩ ମାସ ହେବ ରାଜ୍ୟରେ ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ଫଳରେ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ପରିବାର ଏବେ ଆଶା ଆଶଙ୍କାରେ ରହିଛନ୍ତି । ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁ ପେଟ୍ରୋଲ, ଡିଜେଲ ସହ ଏଲ୍ପିଜି ସିଲିଣ୍ଡର ଦର ବଢ଼ିଛି । ଏହା ସହ ଦରଦାମ ବଢ଼ି ଚାଲିଛି । ଏପରି ସ୍ଥିତିରେ ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ପରିବାର ଭତ୍ତା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
