୩ ଘଣ୍ଟା ବୈଠକ ଫଳ ଶୂନ,ଏବେବି ଅନିଶ୍ଚିତତାରେ ଲିଙ୍ଗରାଜଙ୍କ ନିତିକାନ୍ତି

ଗତକାଲି ରାତି ୧୧ରୁ ଅନିଦ୍ରା ଓ ଓପାସ ଏକାମ୍ରଧିପତି ପ୍ରଭୁ ଶ୍ରୀ ଲିଙ୍ଗରାଜ । ପଞ୍ଚଚକ୍ର ବିଜେ ସେବା ସମ୍ପାଦନ କରିବା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟରେ ବିବାଦ ଯୋଗୁଁ, ଗତକାଲି ରାତିଠୁ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇନାହିଁ । ଆଜି ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ADMଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ବୋର୍ଡ, ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟରେ ହୋଇଥିବା ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ୩ ଘଣ୍ଟାର ଆଲୋଚନା ପରେ ବି ଉଭୟ ନିଯୋଗଙ୍କ ସହମତି ନ ଆସିବା ଓ ଆପୋଷ ବୁଝାମଣା ନ ହେବା କାରଣରୁ ଏବେବି ମହାପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି ସମ୍ପାଦନ ହେବାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଉଭୟ ନିଯୋଗ ନିଜ ସର୍ତ୍ତ ରଖିପାରିବେ, ଆପୋଷ ବୁଝାମଣା ମାଧ୍ୟମରେ ନୀତି ସମ୍ପାଦନ କରିବାକୁ ମନ୍ଦିର ପରିଚାଳନା କମିଟି ନିବେଦନ କରିଛି।

ଅନ୍ୟପଟେ ପୂଜା ପଣ୍ଡା ନିଯୋଗ ସଭାପତି ସଚ୍ଚିକାନ୍ତ ବଡ଼ ପଣ୍ଡା କହିଛନ୍ତି, ଯେଉଁ ନୀତି ଆମେ କରି ଆସୁଛୁ ସେମାନେ କେମିତି କରିବେ ? ବୈଠକ ଅଧାରୁ ସୁଆର ସମ୍ପ୍ରଦାୟ ସମ୍ପାଦକ ବିରଞ୍ଚି ନାରାୟଣ ପତି ଉଠିଆସିଲେ। କିଛି ନିଷ୍କର୍ଷ ଆସି ପାରିଲା ନାହିଁ,ବୁଝାମଣା ହୋଇନାହିଁ। ଯାହା ନିଷ୍ପତ୍ତି ନେବେ ମନ୍ଦିର ପରିଚାଳନା କମିଟି। ଯଦି ଆମ ସପକ୍ଷରେ ରାୟ ନ ଆସେ ତେବେ ଆଇନ୍ ର ଆଶ୍ରୟ ନେବାକୁ ସିଧା ଶୁଣାଇ ଦେଇଛି ପୂଜା ପଣ୍ଡା ନିଯୋଗ। ଅନ୍ୟପଟେ ବ୍ରାହ୍ମଣ ନିଯୋଗ ସଭାପତି ଭାଗିରଥି ମହାସୁଆର କହିଛନ୍ତି,ତିନି ନିଯୋଗ ଚାହିଁଲେ ନୀତି ସମ୍ପାଦନ ହେବାରେ କୌଣସି ଅସୁବିଧା ନାହିଁ। ଯଦି ପୂଜା ପଣ୍ଡା ନିଯୋଗ ଅବୁଝା ରହୁଛି, ତେବେ ଆମେ ମଧ୍ୟ କୋର୍ଟ ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ ଅଛୁ।

Leave a Reply

Your email address will not be published. Required fields are marked *